
ସେବାୟତ ମାଡ଼ରେ ରକ୍ତାକ୍ତ ହେଲେ ହବିଷ୍ୟାଳି । ଜଣେ ସେବାୟତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିବା ୨ଜଣ ହବିଷ୍ୟାଳିଙ୍କୁ ମାଡ଼ ମାରିଛନ୍ତି। ଫଳରେ ବୃଦ୍ଧାଙ୍କ ଗାଲ ଫୁଲି ଯିବା ସହ ଶରୀରରେ ଆଘାତ ମଧ୍ୟ ଲାଗିଛି । ତେବେ ଏନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୃକ୍ତ ସେବାୟତଙ୍କ ବିରୋଧରେ ମନ୍ଦିର ପ୍ରଶାସନ କିମ୍ବା ପୁଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସୂଚନା ମିଳିଛି ।
ସେବାୟତଙ୍କଠାରୁ ମାଡ଼ ଖାଇଥିବା ହବିଷ୍ୟାଳି ରାଜ୍ୟ ସରକାରଙ୍କ ଶିବିରରେ ରହୁଛନ୍ତି। ସେବାୟତ ମାଡ଼ ମାରିବା ସମୟରେ ପୁଲିସ କର୍ମଚାରୀ ଏବଂ ସ୍ବେଚ୍ଛାସେବୀ ସେଠାରେ ଉପସ୍ଥିତ ଥିଲେ। କେହି ଜଣେ ହେଲେ ଏଭଳି ଘଟଣାର ପ୍ରତିବାଦ କରିନଥିଲେ। ‘ତୁମେ ସବୁ ମାଗଣା ଖାଇବାକୁ ଏଠାକୁ ଚାଲି ଆସିଛ’ ବୋଲି କହି ଜଣେ ସେବାୟତ ତାଙ୍କୁ ମାଡ଼ ମାରିଥିବା ହବିଷ୍ୟାଳି ଗଣମାଧ୍ୟମକୁ କହିଛନ୍ତି।
ଏତେବଡ଼ ଘଟଣାକୁ ଚପାଇ ଦେବାପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି। ଏଥିପାଇଁ ଥାନାରେ ଅଭିଯୋଗ ନକରିବାକୁ ହବିଷ୍ୟାଳିଙ୍କୁ ପରାମର୍ଶ ଦିଆଯାଇଛି। ସେବାୟତଙ୍କ ମାଡ଼ରେ ଆହତ ହବିଷ୍ୟାଳିଙ୍କ ନାମ କୁମାରୀ ନାୟକ, ୬୨ବର୍ଷ ଏବଂ ଘର ବ୍ରହ୍ମଗିରି ଥାନା ଅନ୍ତର୍ଗତ ସାହାସପୁର ଗ୍ରାମରେ ବୋଲି ଜଣାପଡ଼ିଛି। ନରେନ୍ଦ୍ରକୋଣ ନିକଟସ୍ଥ ବୃନ୍ଦାବତୀ ନିବାସରେ ରହି ସେ କାର୍ତ୍ତିକବ୍ରତ ପାଳନ କରୁଛନ୍ତି। ସେବାୟତଙ୍କ ଦ୍ବାରା ମାଡ଼ ଖାଇଥିବା ଆଉଜଣେ ହବିଷ୍ୟାଳିଙ୍କ ପରିଚୟ ମିଳିପାରି ନାହିଁ।
ସୂଚନା ଅନୁଯାୟୀ ବୁଧବାର ଦିନ ପ୍ରାୟ ୧୨ଟା ବେଳେ କେତେକ ହବିଷ୍ୟାଳି ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ। ଜିଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଥିବା ଫଟୋ ପରିଚୟପତ୍ର ତାଙ୍କ ବେକରେ ପଡ଼ିଥିଲା। ଜଣେ ସ୍ବେଚ୍ଛାସେବୀଙ୍କ ସହାୟତାରେ ସେମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ଜଣେ ସେବାୟତ ସେମାନଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଜଣାପଡ଼ିଛି।