ଏସ୍ଆଇଆର୍ ବିବାଦ: କଂଗ୍ରେସକୁ ରାଜନାଥଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ନିଜ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରିବା ସହ କଂଗ୍ରେସ ଯୁବଶକ୍ତିର ଅପବ୍ୟବହାର କରୁଥିବା ସେ ଅଭିଯୋଗ କରିଛନ୍ତି।
ରାଜନାଥଙ୍କ କହିବା ଅନୁଯାୟୀ, କଂଗ୍ରେସ କ୍ଷମତାରେ ଥିବାବେଳେ ନିର୍ବାଚନ ଆୟୋଗକୁ ନିଜ ଇଚ୍ଛାନୁସାରେ ପରିଚାଳିତ ଏକ ସଂସ୍ଥା ଭାବେ ଦେଖୁଥିଲା। କିନ୍ତୁ ଏବେ ସାମ୍ବିଧାନିକ ସଂସ୍ଥାଗୁଡ଼ିକର କାର୍ଯ୍ୟକୁ ପ୍ରଶ୍ନ କରୁଛି। ଏହା ଦ୍ୱାରା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଉପରେ ଅନାବଶ୍ୟକ ସନ୍ଦେହ ସୃଷ୍ଟି ହେଉଥିବା ସେ କହିଛନ୍ତି।
ବିରୋଧୀ ଦଳଗୁଡ଼ିକ ଯୁବକମାନଙ୍କୁ ଦେଶ ଗଠନରେ ନିୟୋଜିତ କରିବା ପରିବର୍ତ୍ତେ ରାଜନୈତିକ ସଂଘର୍ଷରେ ସାମିଲ କରୁଥିବା ମଧ୍ୟ ରାଜନାଥ ଅଭିଯୋଗ କରିଛନ୍ତି। ଏସ୍ଆଇଆର୍କୁ ନେଇ ଚାଲିଥିବା ଆନ୍ଦୋଳନର ଉଦ୍ଦେଶ୍ୟ ନିର୍ବାଚନ ସଂସ୍କାର ନୁହେଁ, ବରଂ ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ କରିବା ବୋଲି ସେ ମତ ଦେଇଛନ୍ତି।
ଗଣତନ୍ତ୍ରରେ ମତଭେଦ ଓ ବିରୋଧ ପ୍ରଦର୍ଶନ ସ୍ୱାଭାବିକ। ତେବେ ଏହା ସାମ୍ବିଧାନିକ ସୀମା ମଧ୍ୟରେ ରହିବା ଆବଶ୍ୟକ ବୋଲି ରାଜନାଥ କହିଛନ୍ତି।



