
ନୂଆଦିଲ୍ଲୀ: ବିମାନ ଭଡ଼ା ଓ ଅତିରିକ୍ତ ଶୁଳ୍କ ନିୟନ୍ତ୍ରଣ ପାଇଁ ପ୍ରସ୍ତୁତ ନିୟମକୁ ଚୂଡ଼ାନ୍ତ କରାଯିବା ସହ ପ୍ରଶାସନିକ ଅନୁମୋଦନ ମିଳିଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏହାକୁ ପ୍ରକାଶ କରାଯିବ ବୋଲି ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଜଣାଇଛି କେନ୍ଦ୍ର ସରକାର।
ବିଚାରପତି ବିକ୍ରମ ନାଥ, ଆର୍. ମହାଦେବନ ଓ ଅପରେଶ କୁମାର ସିଂହଙ୍କ ଖଣ୍ଡପୀଠ କେନ୍ଦ୍ର ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କ ଏହି ସୂଚନାକୁ ଗ୍ରହଣ କରିଛନ୍ତି। ପ୍ରକାଶିତ ନିୟମର ନକଲ ପରବର୍ତ୍ତୀ ଶୁଣାଣିରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୬ରେ ହେବ।
ବିମାନ ଭଡ଼ାରେ ଅସ୍ୱାଭାବିକ ବୃଦ୍ଧି, ପର୍ବପର୍ବାଣି ଓ ଛୁଟି ସମୟରେ ଅଧିକ ଟିକେଟ୍ ମୂଲ୍ୟ ଏବଂ ଅତିରିକ୍ତ ଶୁଳ୍କ ଆଦାୟକୁ ନେଇ ସାମାଜିକ କର୍ମୀ ଏସ୍. ଲକ୍ଷ୍ମୀନାରାୟଣନ୍ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ଏଥିରେ ବିମାନ ଭଡ଼ା ନିର୍ଦ୍ଧାରଣରେ ସ୍ୱଚ୍ଛତା ନଥିବା ଓ ଚେକ୍-ଇନ୍ ବ୍ୟାଗେଜ୍ର ମାଗଣା ସୀମା ୨୫ କିଲୋଗ୍ରାମ୍ରୁ ୧୫ କିଲୋଗ୍ରାମ୍କୁ କମାଯାଇଥିବା ନେଇ ପ୍ରଶ୍ନ ଉଠାଯାଇଛି।
ପୂର୍ବ ଶୁଣାଣିରେ ସମାନ ଗନ୍ତବ୍ୟ ପାଇଁ ବିଭିନ୍ନ ବିମାନ କମ୍ପାନି ଭିନ୍ନ ଭିନ୍ନ ଭଡ଼ା ନେଉଥିବା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଭଡ଼ାରେ ଯୁକ୍ତିସଙ୍ଗତ ସମନ୍ୱୟ ଆଣିବାକୁ କହିଥିଲେ। ଚିକିତ୍ସା, ଶିକ୍ଷା ଓ ଚାକିରି ପାଇଁ ଜରୁରୀ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଅଚାନକ ଭଡ଼ା ବୃଦ୍ଧିର ପ୍ରଭାବକୁ ନେଇ ମଧ୍ୟ ଆବେଦନରେ ଉଦ୍ବେଗ ପ୍ରକାଶ କରାଯାଇଛି।



