ସ୍ୱାମୀ-ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନକୁ ନଷ୍ଟ କରୁଛି ସ୍ମାର୍ଟଫୋନ୍

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ ଅଛି। ଯେଉଁମାନଙ୍କ ପାଖରେ ନାହିଁ ସେମାନେ ମଧ୍ୟ ଏହାକୁ ଶୀଘ୍ର କିଣିବାରେ ବ୍ୟସ୍ତ। ଏବେ ପେମେଣ୍ଟ କରିବା, ଗୀତ ଶୁଣିବା କିମ୍ବା ଚଳଚ୍ଚିତ୍ର ଦେଖିବା ଭଳି ଅଧିକାଂଶ କାର୍ଯ୍ୟ ସ୍ମାର୍ଟଫୋନରେ କରାଯାଉଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ଏହି ସ୍ମାର୍ଟଫୋନ୍ ଲୋକଙ୍କ ଦାମ୍ପତ୍ୟ ଜୀବନକୁ ନଷ୍ଟ କରୁଛି। ନିକଟରେ ଭିଭୋ ସାଇବର ମିଡିଆ ରିସର୍ଚ୍ଚ (ସିଏମ୍ଆର୍) ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡିଛି। ବିବାହିତ ଦମ୍ପତିଙ୍କ ଉପରେ ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର ଉପରେ ଏହାର ପ୍ରଭାବ ଜାଣିବା ପାଇଁ ଏହି ଅଧ୍ୟୟନ କରାଯାଇଛି।
ଏହି ଅନୁଯାୟୀ, ୮୮% ବିବାହିତ ଭାରତୀୟ ଅନୁଭବ କରନ୍ତି ଯେ ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର ସେମାନଙ୍କ ଦାମ୍ପତ୍ୟ ଜୀବନକୁ ନଷ୍ଟ କରୁଛି। ଏହାର ଅର୍ଥ ହେଉଛି ଅତ୍ୟଧିକ ସ୍ମାର୍ଟଫୋନ୍ ବ୍ୟବହାର ୮୮%ଙ୍କର ଜୀବନସାଥୀ ସହ ସମ୍ପର୍କକୁ ଖରାପ କରାଉଛି। ଏହାଛଡା ୫୮% ଖାଇବା ସମୟରେ ଫୋନ୍ ବ୍ୟବହାର କରୁଥିବାବେଳେ ୬୯% କଥାବାର୍ତ୍ତା ସମୟରେ ସ୍ମବାମୀ ହେଉ ବା ସ୍ତ୍ରୀ କେହି କାହାକୁ ପୂର୍ଣ୍ଣ ଧ୍ୟାନ ଦେଉନାହାଁନ୍ତି।
ଭିଭୋ ସୁଇଚ୍ ଅଫ୍ ଅଧ୍ୟୟନର ଚତୁର୍ଥ ସଂସ୍କରଣ ‘ସ୍ମାର୍ଟଫୋନ୍ ଏବଂ ମାନବ ସମ୍ପର୍କ ଉପରେ ତାହାର ପ୍ରଭାବ ୨୦୨୨ ଶୀର୍ଷକ ରିପୋର୍ଟରେ ଦମ୍ପତିଙ୍କ ସମ୍ପର୍କର ଆଚରଣ ଏବଂ ସେଥିଯୋଗୁ ହେଉଥିବା ମନୋବୈଜ୍ଞାନିକ ପରିବର୍ତ୍ତନ ଉପରେ ପର୍ଯ୍ୟବେଶିତ। ଏହି ସର୍ଭେରୁ ଜଣାପଡିଛି ଯେ ୬୭% ଲୋକ ନିଜ ଜୀବନସାଥୀ ସହ ସମୟ ବିତାଇବା ସମୟରେ ମଧ୍ୟ ନିଜ ଫୋନରେ ବ୍ୟସ୍ତ ଥିବା ସ୍ୱୀକାର କରିଛନ୍ତି। ୮୯ ପ୍ରତିଶତ ଲୋକ ସହମତ ହୋଇଛନ୍ତି ଯେ ସେମାନେ ନିଜ ଜୀବନସାଥୀଙ୍କ ଖୁସିରେ ଟିକେ କଥା ହେବାକୁ କମ୍ ସମୟ ଦେଉଛନ୍ତି। ସ୍ମାର୍ଟଫୋନ୍ ସହିତ ଅତ୍ୟଧିକ ବ୍ୟସ୍ତ ରହିବା ଦ୍ୱାରା ମାନସିକ ପରିବର୍ତ୍ତନ ହୋଇଥାଏ। ୭୦ ପ୍ରତିଶତ ମହିଳାଙ୍କ ବିଶ୍ୱାସ ଯେ ଯଦି ତାଙ୍କ ସ୍ୱାମୀ ସ୍ମାର୍ଟଫୋନରେ ଅତ୍ୟଧିକ ବ୍ୟସ୍ତ, ତେବେ ଏହା ସେମାନଙ୍କ ସମ୍ପର୍କକୁ ଖରାପ କରିଥାଏ। ୬୯ ପ୍ରତିଶତଙ୍କ କହିବା ହେଉଛି ସେମାନେ ନିଜ ଜୀବନ ସାଥୀଙ୍କ ସହ କଥାବାର୍ତ୍ତା କରିବା ସମୟରେ ପୂର୍ଣ୍ଣ ଧ୍ୟାନ ଦିଅନ୍ତିନାହିଁ।
ସୂଚନା ଅନୁଯାୟୀ, ୮୪% ଉତ୍ତରଦାତା ନିଜ ଜୀବନସାଥୀଙ୍କ ସହ ଅଧିକ ସମୟ ବିତାଇବାକୁ ଚାହାଁନ୍ତି। ଲୋକମାନେ ସମସ୍ୟାଗୁଡିକ ଗ୍ରହଣ କରୁଛନ୍ତି ଏବଂ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛନ୍ତି। ୯୦% ନିଜ ଜୀବନସାଥୀଙ୍କ ସହ ଅର୍ଥପୂର୍ଣ୍ଣ ବାର୍ତ୍ତାଳାପ ପାଇଁ ଅଧିକ ଖାଲି ସମୟ ପାଇବାକୁ ଚାହାଁନ୍ତି। ରିପୋର୍ଟ ଅନୁଯାୟୀ, ସ୍ମାର୍ଟଫୋନ୍ ବର୍ତ୍ତମାନ ସେମାନଙ୍କ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ହୋଇଯାଇଥିବା ୮୪ ପ୍ରତିଶତ ଲୋକ ସହମତ ହୋଇଛନ୍ତି। ହେଲେ ୭୨% ଲୋକ କହିଛନ୍ତି ଯେ, ବେଳେବେଳେ ସେମାନେ ନିଜ ସ୍ମାର୍ଟଫୋନରେ ଏତେ ବ୍ୟସ୍ତ ରୁହନ୍ତି ଯେ ନିଜ ଆଖପାଖ ପରିବେଶ ବିଷୟରେ ଅବଗତ ନୁହଁନ୍ତି। ୫୮% ଲୋକ ସ୍ବୀକାର କରିଛନ୍ତି ଯେ ସେମାନେ ଖାଇବା ସମୟରେ ଏବଂ ୬୦% ଲୋକ ଘରେ ଥିବାବେଳେ ସ୍ମାର୍ଟଫୋନ୍ ବ୍ୟବହାର କରିଥାନ୍ତି। ଆହୁରିମଧ୍ୟ ପ୍ରାୟ ୬୦% ଲୋକ ପରିବାର ସହ ବସି କଥାବାର୍ତ୍ତା କରିବା ପରିବର୍ତ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି।