Breaking PLUSଦେଶମୁଖ୍ୟ ଖବର

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା, 16 ମୃତ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନ୍‌ରେ ଗତକାଲି ରାତିରେ ଅଚାନକ ଅସମ୍ଭବ ଭିଡ଼ ଯୋଗୁଁ ଦଳାଚକଟା ହୋଇ  ୩ ଶିଶୁଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଥିବା ଜଣାପଡ଼ିଛି। ଆଉ ୧୦ ଜଣ ଆହତଙ୍କୁ ଏଲ୍‌ଏନ୍‌ଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଷ୍ଟେସନ୍‌ର ୧୪, ୧୫ ଓ ୧୬ ନମ୍ବର ପ୍ଲାଟ୍‌ଫର୍ମରେ  ଭିଡ଼ ଅନିୟନ୍ତ୍ରିତ ହେବାରୁ ଏଭଳି ଅଘଟଣ ଘଟିଛି। ଶ୍ୱାସରୁଦ୍ଧ ହୋଇ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଅଚେତ ହୋଇ ପଡ଼ିଥିଲେ। ମହାକୁମ୍ଭ ଯାଉଥିବା ୩ଟି ଟ୍ରେନ୍‌ର ଯାତ୍ରୀମାନେ ଏକସାଙ୍ଗରେ ପ୍ଲାଟ୍‌ଫର୍ମରେ ଏକାଠି ହେବାରୁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ହଜାର ହଜାର ଲୋକଙ୍କ ଭିଡ଼ ଭିତରେ ଶ୍ବାସରୁଦ୍ଧ ସ୍ଥିତି ସୃଷ୍ଟି ହେବାରୁ ଏହା ଦଳାଚକଟାର ରୂପ ନେଇଥିଲା। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ନୂଆଦିଲ୍ଲୀ ଷ୍ଟେସନ୍‌ରେ ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଇଛି। ଦିଲ୍ଲୀ ପୁଲିସ ଓ ଆରପିଏଫ୍‌ ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି  ନୂଆଦିଲ୍ଲୀରୁ ୪ଟି ନୂଆ ମହାକୁମ୍ଭ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ରେଳମନ୍ତ୍ରୀ ଘୋଷଣା କରିଛନ୍ତି। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖପ୍ରକାଶ କରିବା ସହ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

Show More

Related Articles

Back to top button