ଚେନ୍ନାଇ: ନେଟ୍ ପରୀକ୍ଷାରେ ବିଫଳ ହେବାରୁ ଆତ୍ମହତ୍ୟା କଲେ ଛାତ୍ରୀ। ନେଟ୍ ପରୀକ୍ଷାରେ କୃତକାର୍ଯ୍ୟ ନ ହେବାରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ସମ୍ପୃକ୍ତ ଛାତ୍ରୀ ଜଣକ ହେଉଛନ୍ତି ଚେନ୍ନାଇର। ବୁଧବାର ପ୍ରକାଶ ପାଇଛି ନେଟ୍ ୟୁଜି ପ୍ରବେଶିକା ପରୀକ୍ଷା ଫଳ । ତେବେ ପରୀକ୍ଷା ଫଳ ପାଇବା ପରେ ୧୯ ବର୍ଷୀୟ ଛାତ୍ରୀ ଜଣକ ପରୀକ୍ଷାରେ ଉତୀର୍ଣ୍ଣ ନ ହେବାରୁ ଏମିତି ଚରମ ନିଷ୍ପତ୍ତି ନେଇଛନ୍ତି। ଛାତ୍ରୀଙ୍କ ଜଣକୁ ପରିବାର ଲୋକେ ଚେନ୍ନାଇ କେଏମସି ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ନେଟ୍ ପରୀକ୍ଷାରେ ତାମିଲନାଡ଼ୁର ୧,୩୨,୧୬୭ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୬୭,୭୮୭ ଜଣ ପାସ୍ କରିଛନ୍ତି। ନେଟ୍ ପରୀକ୍ଷାରେ ବିଫଳ ହୋଇ ଏହି ଆତ୍ମହତ୍ୟା ଘଟଣା ପ୍ରଥମ ନୁହଁ। ଗତ ଜୁଲାଇ ମାସରେ ତାମିଲନାଡ଼ୁରେ ମଧ୍ୟ ସମାନ ପ୍ରକାର ଅଘଟଣ ଘଟିଥିଲା ।
ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ତାମିଲନାଡୁର ଆରିୟାଲୁରରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ପୁଲିସ ଝିଅଟିର ସୁଇସାଇଡ ନୋଟ ଜବତ କରିଥିଲା। ଯେଉଁଥିରେ ପରୀକ୍ଷାରେ ଫେଲ ହେବା ଆଶଙ୍କା ଥିବାରୁ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଉଲ୍ଲେଖ ରହିଛି।ସେହିପରି ଅନ୍ୟ ଏକ ଘଟଣାକ୍ରମେ ସେହି ଜୁଲାଇ ମାସରେ ଜଣେ ୧୮ ବର୍ଷର ବାଳକ ଆତ୍ମହତ୍ୟା କରିଥିଲେ। ତାଙ୍କ ଠାରୁ ମଧ୍ୟ ଏକ ସୁସାଇଡ୍ ନୋଟ ଜବତ କରାଯାଇଥିଲା।