
ବଣାଇ : ପ୍ରେମରେ ସନ୍ଦେହ କରି ପ୍ରେମିକାର ତଣ୍ଟି କାଟି ହତ୍ୟା କଲେ ପ୍ରେମିକ। ପ୍ରେମ ସମ୍ପର୍କରେ ସନ୍ଦେହ ଲଗାଇଲା ନିଆଁ। ବିଚ୍ ରାସ୍ତାରେ ପ୍ରେମିକାଙ୍କ ଗଳା କାଟି ହତ୍ୟା କଲେ ପ୍ରେମିକ। ତା’ପରେ ନିଜେ ବିଷ ପିଇଦେଲେ ପ୍ରେମିକ। ଏପରି ଏକ ଜଘନ୍ୟ ଘଟଣା ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି। ଚାନ୍ଦିପୋଷ ଥାନାର ବଡ଼ ଭୁଲତା ଗାଁର ଶୁକ୍ରୁ ଏକ୍କା ସେହି ଗ୍ରାମର ପୁଷୀ(ଛଦ୍ମନାମ)ଙ୍କୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ। ପୁଷୀ ମଧ୍ୟ ତାଙ୍କୁ ଭଲ ପାଉଥିଲେ। ବାହା ହୋଇ ଘର ସଂସାର କରିବେ ବୋଲି କେତେ ସ୍ୱପ୍ନ ଦେଖିଥିଲେ। ହେଲେ ଉଭୟଙ୍କ ଭଲ ପାଇବା ଭିତରେ ପଶିଥିଲା ସନ୍ଦେହ। ପୁଷୀ କାହାକୁ ଫୋନ୍ରେ କଥା ହେଉଥିବା ଦେଖିବାକୁ ପାଇଥିଲେ ଶୁକ୍ରୁ। ଆଉ ସେହି ଦିନଠାରୁ ପୁଷୀଙ୍କୁ ସନ୍ଦେହ କରୁଥିଲେ ପ୍ରେମିକ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଝଗଡା ଲାଗି ରହିଥିଲା। ଆଜି ସକାଳେ ମଧ୍ୟ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ପରେ ଉଭୟ ନିଜ ନିଜ ଘରକୁ ଫେରିଯାଇଥିଲେ। ଆଜି ଅପରାହ୍ନରେ ପୁଷୀ ଗାଁ ଦାଣ୍ଡରେ ଚାଲି ଚାଲି ଯାଉଥିଲେ। ଠିକ୍ ସେହି ସମୟରେ ଶୁକ୍ରୁ ଏକ ଛୁରୀରେ ପୁଷୀଙ୍କ ବେକକୁ କାଟି ଦେଇଥିଲେ। ଯାହାଫଳରେ ଘଟଣା ସ୍ଥଳରେ ପୁଷୀଙ୍କ ମୃତ୍ୟୁ ଘଟିଥିଲା। ପରେ ଶୁକ୍ରୁ ସେହିଠାରେ ବିଷ ପିଇ ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉରକେଲା ସରକାରୀ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ଚାନ୍ଦିପୋଷ ଥାନା ପୁଲିସ ଖବର ପାଇଁ ଗାଁରେ ପହଞ୍ଚିଥିଲା। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।