
ଆଡିଲେଡ୍: ଚଳିତ ଟି-୨୦ ବିଶ୍ୱକପ୍ରେ ଆଜି ଗ୍ରୁପ୍-୨’ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଓ ବାଂଲାଦେଶ ପରସ୍ପରକୁ ଭେଟିବେ। ପ୍ରଥମ ମ୍ୟାଚ୍ରେ ପାକିସ୍ତାନ ଓ ଦ୍ୱିତୀୟ ମ୍ୟାଚ୍ରେ ନେଦରଲାଣ୍ଡ୍ସକୁ ହରାଇବା ପରେ ଭାରତ ତୃତୀୟ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାଠାରୁ ୫ ୱିକେଟରେ ପରାସ୍ତ ହୋଇଥିଲା। ୩ଟି ମ୍ୟାଚ୍ ଖେଳି ୨ ବିଜୟ ଓ ୧ ପରାଜୟ ସହ ୪ ପଏଣ୍ଟ ପାଇ ଭାରତ ଗ୍ରୁପ୍ -୨ରେ ଦକ୍ଷିଣ ଆଫ୍ରିକା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ବାଂଲାଦେଶ ମଧ୍ୟ ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୨ ବିଜୟ ଓ ୧ ପରାଜୟ ସହ ସମାନ ୪ ପଏଣ୍ଟ ପାଇଥିଲେ ମଧ୍ୟ ନେଟ ରନରେଟ୍ରେ ପଛରେ ରହି ତୃତୀୟ ସ୍ଥାନରେ ରହିଛି। ତେଣୁ ସେମିଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ ଜିତିବାର ଜରୁରୀ ହୋଇପଡ଼ିଛି। ଆଡିଲେଡ ଓଭାଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଯଦି ବାଂଲାଦେଶ ପରାସ୍ତ ହୁଏ ତେବେ ସେମିଫାଇନାଲ ଦୌଡ଼ରୁ ଏକପ୍ରକାର ବାଦ୍ ପଡ଼ିବ। ଯଦି ଭାରତ ପରାସ୍ତ ହୁଏ ତେବେ ସେମିଫାଇନାଲ ଆଶା କଷ୍ଟକର ହେବ। ଅନ୍ତିମ ମ୍ୟାଚରେ ଜିମ୍ବାୱେକୁ ହରାଇଲେ ଭାରତ ୬ ପଏଣ୍ଟ ପାଇବ। ସେପେଟେ ପାକିସ୍ତାନ ଯଦି ତାର ଅନ୍ତିମ ଦୁଇଟି ମ୍ୟାଚ୍ ଜିତେ ତାହାଲେ ସମାନ ୬ ପଏଣ୍ଟ ପାଇବ। ଏପରି ସ୍ଥଳେ ନେଟ୍ ରନରେଟ୍ର ଗୁରୁତ୍ୱ ଆହୁରି ବଢ଼ିଯିବ। ସେହିପରି ଭାରତକୁ ହରାଇଲେ ବାଂଲାଦେଶର ସେମି ସମ୍ଭାବନା ଦୃଢ ହେବ। ଭାରତ ପରେ ବାଂଲାଦେଶ ଯଦି ପାକିସ୍ତାନକୁ ହରାଏ ତେବେ ୮ ପଏଣ୍ଟ ପାଇ ସେମିଫାଇନାଲକୁ ଉଠିବା ନିଶ୍ଚିତ ହେବ। ତେଣୁ ସବୁ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତ ପାଇଁ ଏହି ମ୍ୟାଚ୍ ନକଆଉଟ ସଦୃଶ ହୋଇଛି। ସେମିଫାଇନାଲକୁ ଉଠିବାକୁ ହେଲେ ଭାରତକୁ ଏହି ମ୍ୟାଚ୍ରେ ଜିତିବାକୁ ପଡ଼ିବ। ଆଡିଲେଡ୍ରେ ପ୍ରବଳ ବର୍ଷା ହୋଇଛି। ଫଳରେ ଏହି ମ୍ୟାଚ ବାତିଲ ହେବାର ଆଶଙ୍କ ମଧ୍ୟ ସୃଷ୍ଟି ହୋଇଛି। ଏପରି ହେଲେ ପଏଣ୍ଟ ଭାଗ ହେବ। ଦୁଇ ଦେଶ ଗୋଟିଏ ଲେଖାଏଁ ପଏଣ୍ଟ ହାସଲ କରିବେ। ଏହାହେଲେ ଭାରତ କ୍ଷତି ସହିବ ଓ ସେମି ଫାଇନାଲ ଆଶା ନେଇ ଆଶଙ୍କା ସୃଷ୍ଟି ହେବ। ବର୍ଷା ହେବାର ସମ୍ଭାବନା ୩୦ରୁ ୬୦ ପ୍ରତିଶତ ରହିଛି। ଅଷ୍ଟ୍ରେଲିଆରେ ପାଣିପାଗ ଅତିଶୀଘ୍ର ବଦଳିଥାଏ। ତେଣୁ ବର୍ଷା ସମ୍ଭାବନା ବଢ଼ିପାରେ କିମ୍ବା କମିପାରେ। ଭାରତୀୟ ପ୍ରଶଂସକଙ୍କ ମନରେ ଏବେ ଉତ୍କଣ୍ଠା ବଢ଼ିଯାଇଛି।