
ବ୍ରିସବେନ୍: ଚଳିତ ଟି-୨୦ ବିଶ୍ୱକପରେ ଏଯାଏ ଅପରାଜେୟ ଥିବା ନ୍ୟୁଜିଲ୍ୟାଣ୍ଡ ଶେଷରେ ପରାସ୍ତ ହୋଇଛି। ଆଜି ଜୋଶ ବଟଲରଙ୍କ ଇଂଲଣ୍ଡ ବେଶ ଚତ୍ମକାର ଢଙ୍ଗରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଦେଇଛି। ଏହି ମ୍ୟାଚ୍କୁ ଇଂଲଣ୍ଡ ୨୦ ରନରେ ଜିତିବା ପରେ ଗ୍ରୁପ ୧ ପଏଣ୍ଟ ଟେବୁଲରେ ରୋମାଞ୍ଚ ବଢ଼ି ଯାଇଛି। ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ସମାନ ୫ ପଏଣ୍ଟ ଲେଖାଏଁ ପାଇଛନ୍ତି। ଏବେ ଏହି ୩ ଦଳ ପାଖରେ ଗୋଟିଏ ଲେଖାଏଁ ମ୍ୟାଚ୍ ବାକି ରହିଛି। ନ୍ୟୁଜିଲ୍ୟାଣ୍ଡ ଶେଷ ମ୍ୟାଚରେ ଆୟର୍ଲ୍ୟାଣ୍ଡକୁ ଭେଟିବାକୁ ଥିବା ବେଳେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଆଫଗାନିସ୍ତାନକୁ ଭେଟିବ। ସେହିପରି ଇଂଲଣ୍ଡ ଶେଷ ମ୍ୟାଚ୍ରେ ଶ୍ରୀଲଙ୍କାକୁ ଭେଟିବ। ଶ୍ରୀଲଙ୍କା ମଧ୍ୟ ୪ ମ୍ୟାଚ୍ରୁ ୪ ପଏଣ୍ଟ ସହ ସେମି ଖେଳିବା ଆଶାରେ ରହିଛି। ରନ ରେଟ ଦୃଷ୍ଟିକୋଣରୁ ନ୍ୟୁଜିଲ୍ୟାଣ୍ଡ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ଥିବା ବେଳେ ଇଂଲଣ୍ଡ ଦ୍ୱିତୀୟରେ ଓ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛନ୍ତି। ତେଣୁ ଏହି ୩ ଦଳଙ୍କ ମଧ୍ୟରୁ ୨ଟି ଦଳ ସେମି ଫାଇନାଲକୁ ଯିବେ। ନିଜ ନିଜର ଶେଷ ମ୍ୟାଚ୍ ବି ଯଦି ଏହି ୩ ଦଳ ଜିତୁଛନ୍ତି, ତା’ହେଲେ ବି ରନ ରେଟ୍ ଆଧାରରେ ୨ଟି ଦଳକୁ ସେମି ଫାଇନାଲ ଖେଳିବାର ସୁଯୋଗ ମିଳିବ। ଆଜିର ମ୍ୟାଚ୍ ଇଂଲଣ୍ଡ ପାଇଁ ଏକ ପ୍ରକାରର କର ବା ମର ପରିସ୍ଥିତି ଥିଲା। ୨୦୨୧ ଟି-୨୦ରେ ଦଳ ନ୍ୟୁଜିଲ୍ୟାଣ୍ଡ ଠାରୁ ସେମିରେ ହାରିଥିଲା। ତେଣୁ ବଟଲରଙ୍କ ଇଂଲଣ୍ଡ ଉପରେ ଅତିରିକ୍ତ ଚାପ ରହିଥିଲା। ବ୍ରିସବେନର ଗାବାରେ ଟସ୍ ଜିତି ବଟଲର ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିସହ ସେ ଆଲେକ୍ସ ହେଲ୍ସଙ୍କ ସହ ମିଶି ଇଂଲଣ୍ଡକୁ ଦ୍ରୁତ ଆରମ୍ଭ ଦେଇଥିଲେ। ୧୦.୨ ଓଭର ସୁଦ୍ଧା ବଟଲର ଓ ହେଲ୍ସ ଦଳୀୟ ସ୍କୋରକୁ ୮୧ରେ ପହଞ୍ଚାଇ ଦେଇଥିଲେ। ଏହି ସମୟରେ ୪୦ ବଲରେ ୫୨ ରନ କରିଥିବା ହେଲ୍ସଙ୍କୁ ମିଚେଲ ସାଣ୍ଟନର ଆଉଟ କରିଥିଲେ। ଏହାପରେ ବଟଲର ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଗୋଟିଏ ପଟେ ଦ୍ରୁତ ଗତିରେ ରନ ସଂଗ୍ରହ କରୁଥିଲେ ମଧ୍ୟ ଅନ୍ୟପଟେ ୱିକେଟ ଝଡ଼ିବା ଆରମ୍ଭ ହୋଇଥିଲା।