ତାମିଲନାଡୁରେ କଡା ସୁରକ୍ଷା ମଧ୍ୟରେ ଭୋଟଗଣତି ଜାରି

ଚେନ୍ନାଇ, ୦୪ ମଇ – ତାମିଲନାଡୁ ବିଧାନସଭା ନିର୍ବାଚନର ୨୩୪ଟି ଆସନ ପାଇଁ ଭୋଟ ଗଣନା ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି। ଏଥିପାଇଁ ସମଗ୍ର ତାମିଲନାଡୁରେ ୬୨ଟି ଗଣନା କେନ୍ଦ୍ର ସ୍ଥାପିତ କରାଯାଇଛି। ଜନତାଙ୍କର ରାୟ କାହାର ପକ୍ଷରେ ଯିବ, ସେଥିପାଇଁ ସମସ୍ତେ ଅପେକ୍ଷା କରିଛନ୍ତି।
ଗଣନା କେନ୍ଦ୍ରକୁ କେବଳ ଗଣନା କର୍ମଚାରୀ, ନିର୍ବାଚନ ଅଧିକାରୀ ଓ ପ୍ରାର୍ଥୀମାନଙ୍କର ଏଜେଣ୍ଟମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇଛି। ସକାଳ ୧୧ଟା ପରେ ପ୍ରାରମ୍ଭିକ ଫଳାଫଳର ଟ୍ରେଣ୍ଡ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। ନିର୍ବାଚନ ଅଧିକାରୀମାନଙ୍କ କହିବା ଅନୁସାରେ, ଔପଚାରିକ ଫଳାଫଳ ସନ୍ଧ୍ୟାରୁ ଆରମ୍ଭ କରି ମଧ୍ୟରାତ୍ର ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଘୋଷଣା କରାଯିବ।
ଗଣନା କାର୍ଯ୍ୟରେ ୧୫ ହଜାରରୁ ଅଧିକ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ଜଣେ ନିର୍ବାଚନ ପର୍ଯ୍ୟବେକ୍ଷକ, ନିର୍ବାଚନ ଅଧିକାରୀ ଓ ସହାୟକ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ୭୦ କମ୍ପାନୀ ଅର୍ଦ୍ଧସେନା ବଳ ସହିତ ୧୮ ହଜାର ପୋଲିସକର୍ମୀଙ୍କୁ ଗଣନା କେନ୍ଦ୍ରରେ ନିଯୁକ୍ତ କରାଯାଇଛି। ଏହା ସହିତ, କୌଣସି ଅପ୍ରିତିକର ଘଟଣାକୁ ରୋକିବା ପାଇଁ ସମଗ୍ର ତାମିଲନାଡୁରେ ୧ ଲକ୍ଷ ପୋଲିସକର୍ମୀଙ୍କୁ ସୁରକ୍ଷା ଡ୍ୟୁଟିରେ ରଖାଯାଇଛି। ଆଜି ୪,୦୨୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ।
ଏଥର ନିର୍ବାଚନରେ ୫.୭୩ କୋଟି ମତଦାତାଙ୍କ ମଧ୍ୟରୁ ୪.୮୮ କୋଟି ଲୋକ ମତଦାନ କରିଛନ୍ତି। ଏହିପରି ୮୫.୧୦ ପ୍ରତିଶତ ଭୋଟ ପଡ଼ି ନୂତନ ରେକର୍ଡ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ କୋଲାଥୁରରୁ ଓ ଏଆଇଏଡିଏମକେ ସାଧାରଣ ସଚିବ ଏଡପ୍ପାଡି କେ. ପଳାନିସ୍ୱାମୀ ଏଡପ୍ପାଡିରୁ ପୁଣି ନିର୍ବାଚନ ଲଢ଼ିଛନ୍ତି। ତାମିଳଗା ୱେତ୍ରି କଝଗମର ଅଧ୍ୟକ୍ଷ ବିଜୟ ତ୍ରିଚି ଇଷ୍ଟ ଓ ପେରମ୍ବୁର ଆସନରୁ ନିର୍ବାଚନ ଲଢ଼ୁଛନ୍ତି।



