ମହଙ୍ଗା ହେବ ଟାଟା ଲୁଣ

ଯଦି ଆପଣଙ୍କ ରୋଷେଇରେ ଟାଟା ଲୁଣ ବ୍ୟବହାର କରୁଥାନ୍ତି ତେବେ ଖବର ଆପଣଙ୍କ ଲାଗି ଜରୁରୀ। ଦୀର୍ଘ ବର୍ଷରୁ ଭାରତୀୟଙ୍କ ରୋଷେଇରେ ଜରୁରୀ ଏହି ଲୁଣ ଏବେ ମହଙ୍ଗା ହେବାକୁ ଯାଉଛି। ତାଜା ରିପୋର୍ଟ ଅନୁସାରେ କମ୍ପାନୀ ବାଧ୍ୟ ହୋଇ ଲୁଣ ଦର ବୃଦ୍ଧି କରୁଛନ୍ତି। ଟାଟା କଞ୍ଜ୍ୟୁମର ପ୍ରଡକ୍ଟର ସିଇଓ ସୁନୀଲ ଡିସୁଜା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମୂଲ୍ୟ ବୃଦ୍ଧିରେ କମ୍ପାନୀ କିଛି ବୋଝ ଗ୍ରାହକଙ୍କ କାନ୍ଧରେ ରଖିବାକୁ ବାଧ୍ୟ ହେଉଛି।ଡିସୁଜାଙ୍କ ଅନୁସାରେ ଲୁଣର ମୁଖ୍ୟ କାରକ ବ୍ରାଇନ ଏନର୍ଜୀ ଯୋଗୁ ମୂଲ୍ୟ ବୃଦ୍ଧି କରିବାକୁ ପଡୁଛି। ଏଥିରେ ବ୍ରାଇନ ଦର ସ୍ଥିର ଥିଲେବି ଏନର୍ଜୀ ମୂଲ୍ୟ ବୃଦ୍ଧି ଲୁଣ ଦର ବୃଦ୍ଧି ଲାଗି ବାଧ୍ୟ କରୁଥିବା ସିଇଓ ଡିସୁଜା କହିଛନ୍ତି।
କମ୍ପାନୀ କେବଳ ମାର୍ଜିନ ବଞ୍ଚାଇବା ଲାଗି ଏହି ମୂଲ୍ୟ ବୃଦ୍ଧି କରୁଥିବା ସିଇଓ କହିଛନ୍ତି। ଦେଶର ପ୍ରାୟ ପ୍ରତ୍ୟେକଙ୍କ ଘରେ ବ୍ୟବହାରରେ ଆସୁଥିବା ଟାଟା ଲୁଣ ଦର କେବେ ବୃଦ୍ଧି ହେବ ଓ କେତେ ବୃଦ୍ଧି ହେବ ସେ ନେଇ ଡିସୁଜା କିଛି କହି ନାହାନ୍ତି। ହେଲେ ଟାଟା ଲୁଣର ସବୁଠୁ ଛୋଟ ପ୍ୟାକେଟର ମୂଲ୍ୟ ୨୫ ଟଙ୍କା ପଡୁଛି। ଏଥିରୁ ମୂଲ୍ୟ ବୃଦ୍ଧି ହେଲେ ଲୋକଙ୍କ ପକେଟ ଉପରେ ବୋଝ ବଢିବା ଏକପ୍ରକାର ନିଶ୍ଚିତ। ତେବେ ଟାଟା କଞ୍ଜ୍ୟୁମର ପ୍ରଡକ୍ଟ କେବେ ମୂଲ୍ୟ ବୃଦ୍ଧି କରିବେ ଓ କେତେ କରିବେ ସେ ନେଇ ଏବେବି ନିରବତା ଅବଲମ୍ବନ କରୁଛନ୍ତି।