
ଭୁବନେଶ୍ୱର ରେଳ ଷ୍ଟେସନ ପୁନଃ ବିକାଶ ପାଇଁ ଖୋଲିଲା ଅସ୍ଥାୟୀ କ୍ୟାମ୍ପ ଅଫିସ୍ । ଯାତ୍ରୀଙ୍କ ଅନୁକୂଳ ସୁବିଧା ସହିତ ବିଶ୍ୱ ସ୍ତରୀୟ ଭିତ୍ତିଭୂମି ଭାବରେ ଭୁବନେଶ୍ୱର ରେଳ ଷ୍ଟେସନକୁ ପୁନଃ ବିକାଶ କରାଯାଉଛି । ଗତ କିଛିବର୍ଷ ଧରି ରାଜ୍ୟ ସରକାର ଓ ରେଳବାଇ ମନ୍ତ୍ରଣାଳୟ ମଧ୍ୟରେ ଏହି ଭିତ୍ତିଭୂମି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ବୁଝାମଣା ହୋଇଥିଲା। ପରେ ଏହାକୁ ନିରସ୍ତ୍ର କରାଯିବା ସହ ଶେଷରେ ରେଳବାଇ ବିଭାଗ ନିଜେ ଏହି ଆଧୁନିକୀକରଣ ଦାୟିତ୍ୱ ହାତକୁ ନେଇ କାମ ଆରମ୍ଭ କରିଛି।
ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ନିଜେ ଏହି ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା ଏବଂ ତଦାରଖ କରୁଛନ୍ତି ଏବଂ ବିଶ୍ୱ ସ୍ତରର ଭିତ୍ତିଭୂମି ସହିତ ଯାତ୍ରୀ ଅନୁକୂଳ ସୁବିଧା ସହିତ ଏହି ପ୍ରକଳ୍ପ କରିବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି । ସଠିକ୍ ସମନ୍ୱୟ ସହିତ ନିର୍ମାଣ କାର୍ଯ୍ୟର କାର୍ଯ୍ୟକାରିତା ଉପରେ ସବିଶେଷ ଏବଂ ସଠିକ୍ ଯୋଜନା ପ୍ରତି ଗୁରୁତ୍ୱାରୋପ ଦେବାପାଇଁ ଶ୍ରୀ ସୁନକର ମଧ୍ୟ ଅଧିକାରୀ ମାନଙ୍କୁ କହିଛନ୍ତି ।
ଏହି ବିକାଶ ପ୍ରକ୍ରିୟାରେ ଅନେକ ସୁବିଧା ପ୍ରଦାନ କରାଯିବାକୁ ଯୋଜନା କରାଯାଇଛି । ନୂତନ ବିଲଡିଂ, ବିସ୍ତୃତ ଚଳପ୍ରଚଳ କ୍ଷେତ୍ର ସହିତ କନକୋର୍ସ, ପ୍ଲାଟଫର୍ମ ଲାଇଟିଙ୍ଗ, ୱେଟିଂ ରୁମ୍, ଏୟାର କନସାର୍ସ, ପ୍ଲାଟଫର୍ମ ଏବଂ ପ୍ଲାଟଫର୍ମ ଆଶ୍ରୟସ୍ଥଳର ନବୀକରଣ, ଫୁଡ୍ କୋର୍ଟ ଜୋନ୍ ଏବଂ ସପିଂ କ୍ଷେତ୍ର ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ସହିତ ଯାତ୍ରୀମାନଙ୍କ ଆରାମ ପାଇଁ ବହୁତ ଆବଶ୍ୟକୀୟ ଯାତ୍ରୀ ପରିସେବାକୁ ପ୍ରାଥମିକତା ଦିଆଯାଉଛି ।



