
କୋଲକାତା: ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ। ଏଠାକାର ଅର୍ଜୁନ ନଗର ଅଞ୍ଚଳରେ ଥିବା ତ୍ରୁଣମୂଳ କଂଗ୍ରେସର ବୁଥ ସଭାପତି ରାଜକୁମାର ମନ୍ନାଙ୍କ ଘରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଟିଏମ୍ସି କର୍ମୀ ଥିବା ଜଣାପଡିଛି।
ଶୁକ୍ରବାର ହୋଇଥିବା ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଘରର ଛାତ ପୂରା ଉଡି ଯାଇଛି। ଏଥିସହ ଘରଟି ସମ୍ପୂର୍ଣ୍ଣ ନଷ୍ଟ ମଧ୍ୟ ହୋଇଯାଇଥିବା ଦେଖିବାକୁ ମିଳିଛି। ବୋମା ତିଆରି କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିିବା କୁହାଯାଉଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ଏଥିସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି।
ମୃତକଙ୍କ ମଧ୍ୟରେ ତ୍ରୁଣମୂଳ କଂଗ୍ରେସର ବୁଥ ସଭାପତି ରାଜକୁମାର ମନ୍ନା, ତାଙ୍କ ଭାଇ ଦେବ କୁମାର ମନ୍ନା ଓ ବିଶ୍ୱଜିତ ଗାୟେନ୍ ଥିବା ପୁଲିସ କହିଛି। ଏହି ବିସ୍ଫୋରଣ କିଭଳି ହେଲା ଓ କେଉଁ ଭାରଣରୁ ହେଲା ସେ ନେଇ ପୁଲିସ ଏହାର ତଦନ୍ତ ଜାରି ରଖିଛି।
ସେପଟେ ଏହି ବିସ୍ଫୋରଣ ଘଟଣାକୁ ନେଇ ଟିଏମ୍ସିକୁ ଟାର୍ଗେଟ୍ କରିଛି ବିଜେପି। ଘରେ ବୋମା ତିଆରି କରିବା ସମୟରେ ଏହି ଭୟଙ୍କର ବିସ୍ଫୋରଣ ହୋଇଥିବା ବିଜେପି କହିଛି। ପୁଲିସ କିନ୍ତୁ ଏନେଇ ମୁହଁ ଖୋଲିନାହିଁ। ଅନ୍ୟପଟେ ଆଜି ପୂର୍ବ ମେଦିନାପୁରର କାନ୍ଥିରେ ଟିଏମ୍ସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି।