
ତେହେରାନ: ଇରାନର ରାଜଧାନୀ ତେହେରାନ ନିକଟରେ ଥିବା ଆଣ୍ଡିସେ ସହରର ଆର୍ଘାଭାନ୍ ସପିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦୁର୍ଘଟଣାରେ କମ୍ରେ କମ୍ ୮ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୩୬ ଜଣ ଗୁରୁତର ଆହତ ହୋଇଛନ୍ତି।
ଅଗ୍ନିକାଣ୍ଡ ସମୟରେ ସପିଂ ସେଣ୍ଟରରେ ଅଧିକ ଭିଡ଼ ଥିବାରୁ ହତାହତଙ୍କ ସଂଖ୍ୟା ବଢ଼ିଥିବା ଆଶଙ୍କା କରାଯାଉଛି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ପଠାଯାଇ ଚିକିତ୍ସା ଚାଲିଛି।
ଘଟଣା ସମ୍ପର୍କରେ ଖବର ପାଇବା ସହିତ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ଅଗ୍ନିନିର୍ବାପଣ କାର୍ଯ୍ୟ ଆରମ୍ଭ କରିଥିଲେ। ବହୁମହଲା ଭବନରୁ ଘନ କଳା ଧୂଆଁ ଉଠୁଥିବା ଦୃଶ୍ୟ ଟେଲିଭିଜନ ଫୁଟେଜରେ ଦେଖାଯାଇଛି।
ଇରାନର ସରକାରୀ ଟେଲିଭିଜନ IRIB ଅନୁଯାୟୀ, ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ସମ୍ପୃକ୍ତ କର୍ତ୍ତୃପକ୍ଷ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି ଏବଂ ତଦନ୍ତ ପରେ ମାତ୍ର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଇଛି।
ଏପର୍ଯ୍ୟନ୍ତ ଏହି ଅଗ୍ନିକାଣ୍ଡ ପଛରେ କୌଣସି ଶତ୍ରୁତା କିମ୍ବା ବାହ୍ୟ ଆକ୍ରମଣର ସୂଚନା ମିଳିନାହିଁ।



