ବିହାର ସରକାରଙ୍କ ବଡ ନିଷ୍ପତ୍ତି , ମଦ ପିଇଲେ ହେବନାହିଁ ଜେଲ୍
ଏବେ ମଦ ପିଉଥିବା ବ୍ୟକ୍ତି ଧରାପଡ଼ିଲେ ବି ଜେଲ ଯିବାକୁ ପଡିବନି

ପାଟନା : ମଦ ପିଇଲେ ହେବନି ଜେଲ୍। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ଏଭଳି ଏକ ବଡ ନିଷ୍ପତ୍ତି ନେଇଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏବେ ମଦ ପିଉଥିବା ବ୍ୟକ୍ତି ଧରାପଡ଼ିଲେ ବି ଜେଲ ଯିବାକୁ ପଡିବନି। ଏହା ବଦଳରେ ତାଙ୍କୁ କେବଳ ମଦ ମାଫିଆଙ୍କର ସୂଚନା ଦେବାକୁ ହେବ। ଦେଇଥିବା ସୂଚନା ଅନୁସାରେ ଯଦି ମଦ ମାଫିଆ ଗିରଫ ହୁଅନ୍ତି ତେବେ ମଦ ପିଇଥିବା ବ୍ୟକ୍ତିଙ୍କୁ ଆଉ ଜେଲ ଯିବାକୁ ପଡ଼ିବ ନାହିଁ।
ସୂଚନା ଅନୁସାରେ , ବିହାର ଜେଲରେ ମଦ୍ୟପାନକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବିହାର ସରକାର ୨୦୨୧ ମସିହାରେ ନଭେମ୍ବର ମାସରେ ଏକ ରିପୋର୍ଟ ଜାରି କରିଥିଲେ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଏହି ରିପୋର୍ଟରେ କୁହାଯାଇଥିଲା ଯେ ଜାନୁଆରୀ ୨୦୨୧ରୁ ଅକ୍ଟୋବର ୨୦୨୧ ମଧ୍ୟରେ ସ୍ୱତନ୍ତ୍ର ସ୍କ୍ଵାର୍ଡ ଚଢ଼ଉ କରି ଜିଲ୍ଲାରେ ୪୯ ହଜାର ୯୦୦ ଲୋକଙ୍କୁ ଗିରଫ କରିଥିଲା। ଏଥିରେ ମଦୁଆ ଓ ମଦ ମାଫିଆ ବି ସାମିଲ୍ ଥିଲେ। ଏ ଅବସରରେ ମୋଟ୍ ୩୮ ଲକ୍ଷ ୭୨ ହଜାର ୬୪୫ ଲିଟର ବେଆଇନ ମଦ ଜବତ କରାଯାଇଥିଲା।
ଜିଲ୍ଲା ସମେତ ବିହାର କୋର୍ଟରେ ବି ମଦ ବନ୍ଦ ମାମଲାର ବୋଝ ବଢ଼ିଯାଇଥିଲା। ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। କୋର୍ଟରେ ଜାମିନ୍ ଆବେଦନ ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଥିଲା। ଫଳରେ ବାଧ୍ୟ ହୋଇ ସରକାରଙ୍କୁ ଏହି ନିୟମରେ ପରିବର୍ତ୍ତନ କରିବାକୁ ପଡ଼ିଛି। ତେବେ ଆସନ୍ତା ମାର୍ଚ୍ଚ୮ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବାକୁ ଥିବାବେଳେ ବିହାର ସରକାର ଗିରଫ ନକରିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି ।