ମିଳିଲା ନିଖୋଜ ଛାତ୍ର ଜ୍ୟୋତିପ୍ରକାଶଙ୍କ ମୃତଦେହ
ମିଳିଲା ନିଖୋଜ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କର ମୃତଦେହ । ଗତକାଲି ଅପରାହ୍ନ ୨ଟାରେ ୧୫ ବର୍ଷୀୟ ଦଶମ ଛାତ୍ର ଜ୍ୟୋତିପ୍ରକାଶ ଟ୍ୟୁସନ ଯିବା ବେଳେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଶିରିପୁର ଶତାଦ୍ଦୀନଗର ବ୍ୟାଙ୍କ କଲୋନୀ ଅଞ୍ଚଳରେ ଡ୍ରେନରେ ଭାସିଯାଇଥିଲେ । ସେ ବରମୁଣ୍ଡା ପାଲାମଣ୍ଡପ ଘରୁ ଶତାବ୍ବୀ ନଗର ଟ୍ୟୁସନ୍ ଯାଉଥିଲେ । ସେ ନିଖୋଜ ହେବାର ପ୍ରାୟ ୨୦ ଘଣ୍ଟା ପରେ ପଞ୍ଚସଖା ନଗର ପାଖ ଡ୍ରେନରୁ ତାଙ୍କ ମୃତଦେହ ମିଳିଛି ।
ଗତକାଲି ଅପରାହ୍ନ ସାଢ଼େ ୩ଟାରୁ ୪ଟା ମଧ୍ୟରେ ଗଣ୍ଡମୁଣ୍ଡା ନାଳ ନିକଟରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ କହିଥିଲେ । ଏହାପରେ ଖୋଜାଖୋଜି କରାଯାଇଥିଲେ ବି କିଛି ସନ୍ଧାନ ମିଳିପାରି ନ ଥିଲା । ଏହାପରେ ଆଜି ସକାଳୁ ପୁଣି ଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଗଣ୍ଡମୁଣ୍ଡା ନାଳଠୁ ପଞ୍ଚସଖା ନାଳ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ଅଗ୍ନିଶମ କର୍ମଚାରୀ । ଏହାପରେ ପଞ୍ଚସଖା ନାଳ ନିକଟରେ ମୃତଦେହଟି ଭାସୁଥିବା ବେଳେ ସେମାନେ ଏହାକୁ ଉଦ୍ଧାର କରିଥିଲେ ।
ତେବେ ସଙ୍ଗେ ସଙ୍ଗେ ଏହା ଜ୍ୟୋତିପ୍ରକାଶଙ୍କ ମୃତଦେହ ନା ନୁହେଁ, ତାହା ଜଣାପଡ଼ି ନଥିଲା । ମୃତଦେହକୁ ଏମ୍ସରେ ତାଙ୍କ ସଂପର୍କୀୟମାନେ ଚିହ୍ନଟ କରିଥିଲେ । ଗତକାଲି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାରେ ବିଳମ୍ବ ହୋଇଥିବା ଜ୍ୟୋତିପ୍ରକାଶଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ହୁଏତ ସଙ୍ଗେସଙ୍ଗେ ଖୋଜାଖୋଜି ଆରମ୍ଭ କରାଯାଇଥିଲେ ସେ ଜୀବିତ ମିଳିପାରିଥା’ନ୍ତେ ବୋଲି ସେମାନେ କହିଛନ୍ତି ପରିବାର ଲୋକେ ।