ଚନ୍ଦା ବରକୁ ଦେଖି ବେଦି ଉପରେ ବାହାହେବାକୁ ମନା କରିଦେଲା କନିଆଁ
ଲକ୍ଷ୍ନୌ: ବାଜାବାଣ ସାଙ୍ଗରେ ବରଯାତ୍ରୀ ଧରି ଆସିଥିଲା ବର। ବ୍ୟାଣ୍ଡ, ବାଜା ଓ ବାରଯାତ୍ରୀରେ କମ୍ପିଥିଲା ପରିବେଶ। ବେଦି ବି ପ୍ରସ୍ତୁତ ଥିଲା। କନିଆଁ ବି ପ୍ରସ୍ତୁତ ଥିଲା। ହାତଗଣ୍ଠି ପଡ଼ିଥାନ୍ତା। ଉଭୟ ସାତ ଜନ୍ମ ପାଇଁ ହୋଇଥାନ୍ତେ ଜୀବନ ସାଥୀ। ହଠାତ୍ ସବୁ କିଛି ବଦଳିଗଲା। ବର ମୁଣ୍ଡରୁ ଖସିପଡ଼ିଲା ନକଲି ଚୁଟି। ଏହା ଦେଖି ବାହାହବାକୁ ମନା କରିଦେଲା କନିଆଁ। ବାହା ନହୋଇପାରି ଶିଶୁ ପାଳ ହୋଇଛି ବର। ଏମିତି ଏକ ଅଦ୍ଭୁତ ଘଟଣା ଘଟିଛି ଉତ୍ତରପ୍ରଦେଶ ଉନ୍ନାଉ ଜିଲ୍ଲାରେ। ନିମିଷକ ମଧ୍ୟରେ ସବୁ ଖୁସି ପାଣିଫୁଟକା ଭଳି ଫାଟିଗଲା । ବର ଜଣକ ଚନ୍ଦା ହୋଇଥିବାରୁ ତାକୁ ଲୁଚାଇବାକୁ ଯାଇ ୱିଗ୍ ଲଗାଇ ଆସିଥିଲା। କିନ୍ତୁ ବେଦିରେ ହଠାତ୍ ୱିଗ୍ଟି ଖସିଯିବାରୁ କନିଆଁ ବାହା ହେବାକୁ ମନା କରିଦେଇଛି। ବେଦି ଉପରେ ବାହାଘରର ଅଧାକାମ ସରି ଯାଇଥିଲା। କିନ୍ତୁ ବିବାହ ମଝିରେ ଘଟିଲା ଏମିତି ଏକ ଅଘଟଣ। ଚନ୍ଦା ବରକୁ ବାହା ହେବାକୁ ମନା କରିଦେଇଥିଲା କନିଆଁ। ପରିବାର ଲୋକେ ଯୁବତୀଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ ରାଜି ହୋଇ ନଥିଲା। ସଙ୍ଗେ ସଙ୍ଗେ ପଞ୍ଚାୟତ ବୈଠକ ବସିଥିଲା। ଝିଅ ଘର କହିଥିଲେ ଯେ, ଏହି ବାହାର ଘର ପାଇଁ ୫.୬୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ତେଣୁ ଟଙ୍କା ଫେରେଇବାକୁ ଦାବି କରିଥିଲେ ଝିଅଘର ଲୋକେ। ବର ନିଜର ଚନ୍ଦାପଣକୁ ଲୁଚାଇ ଆସିଥିବାରୁ ଝିଅ ଘର କଥା ମାନିବାକୁ ବାଧ୍ୟ ହୋଇଥିଲେ। ଆଉ ଝିଅ ଘର କରିଥିବା ଖର୍ଚ୍ଚ ଦେବାକୁ ରାଜି ହୋଇଥିଲେ।