ସାତ ଦିନ ପାଇଁ ଜେଲରୁ ମୁକୁଳିଲେ ଚିଲିକା ବିଧାୟକ
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜର ସ୍ୱାସ୍ଥ୍ୟଗତ ଚିକିତ୍ସା ନିମନ୍ତେ ସାତ ଦିନ ପଇଁ ଆଜି ଜେଲ୍ରୁ ମୁକୁଳିଛନ୍ତି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ ପରେ ସେ ବାଣପୁର ସବ ଜେଲରୁ ବାହାରିଛନ୍ତି । ଜେଲରୁ ବାହାରିବା ପରେ ସିଧାସଳଖ ବାଣପୁର ସ୍ଥିତ ମା’ ଭଗବତୀଙ୍କ ଦର୍ଶନ କରିଥିଲେ । ବିଧାୟକଙ୍କ ସମର୍ଥକ ମାନେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସ୍ୱାଗତ ସମ୍ୱୋର୍ଦ୍ଧନା କରିଥିଲେ। ଅନ୍ତରୀଣ ଜାମିନ ଅବଧି ସରିବା ପରେ ଆସନ୍ତା ମେ ୪ ତାରିଖ ଦିନ ସକାଳ ୭ ଘଟିକାରେ ବିଧାୟକ ଆତ୍ମସମର୍ପଣ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବିଧାୟକଙ୍କ ପାଇଁ କୋର୍ଟ ଏକାଧିକ ସର୍ତ୍ତାବଳୀ ରଖିଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ଅଫିସ ସାମ୍ନାରେ ଲୋକଙ୍କ ଉପରେ ଗାଡ଼ି ଚଡାଇ ଦେଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଦିନ ଜୋରଜବରଦସ୍ତ ଭିଡ଼ ଭିତରକୁ ବିଧାୟକ ଗାଡ଼ି ନେଇଥିଲେ। ଏହାପରେ ଲୋକଙ୍କ ଉପରକୁ ଗାଡ଼ି ଚଢ଼ାଇ ଦେଇଥିଲେ। ଯେଉଁଥିରେ ଏକାଧିକ ବ୍ୟକ୍ତି, ପୋଲିସ୍ ଏବଂ ସାମ୍ବାଦିକ ଆହତ ହୋଇଥିଲେ। ଘଟଣା ପରେ ଲୋକେ ପ୍ରଶାନ୍ତଙ୍କୁ ନିସ୍ତୁକ ମାଡମାରିଥିଲେ। ଏହାପରଠୁ ସେ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ହସ୍ପିଟାଲରୁ ଡିସ୍ଚାର୍ଜ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।