
ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ପ୍ରାୟତଃ ପ୍ରକାଶ ପାଇଛି । ଫଳାଫଳକୁ ଦେଖିଲେ ଯାହା ଜଣାପଡୁଛି ଚାରୋଟି ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାବେଳେ ଗୋଟିଏ ରାଜ୍ୟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବ । ମାତ୍ର ପାଞ୍ଚଟି ରାଜ୍ୟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜୟର ସମ୍ମୁଖୀନ ହୋଇଛି । ପଞ୍ଜାବ ଏବଂ ଗୋଆରେ କଂଗ୍ରେସ ବିଜୟର ଆଶାବାଦୀ ଥିଲା। କିନ୍ତୁ ଏହି ଦୁଇ ରାଜ୍ୟରେ ମଧ୍ୟ କଂଗ୍ରେସକୁ ନିରାଶ ହେବାକୁ ପଡ଼ିଛି । କଂଗ୍ରେସ ଟୁଇଟ୍ କରି କହିଛି ଯେ, ଗଣତନ୍ତ୍ରରେ ଜନତାର ବିବେକ ଏବଂ ଜନତାର ଆଦେଶ ସର୍ବୋପରି। ଆଜିର ଜନାଦେଶକୁ ସମ୍ମାନ ଦେବାବେଳେ, ଆମେ ଲୋକମାନଙ୍କୁ କୃତଜ୍ଞତା ଜଣାଉଛୁ | ଦରବୃଦ୍ଧି, ବେକାରୀ, ସରକାରୀ ସମ୍ପତ୍ତି ନିଲାମ, ବୁଲା ଗୋରୁ, ମହିଳାଙ୍କ ଉପରେ ଅତ୍ୟାଚାର, ଦଳିତ ଏବଂ ଜନସାଧାରଣଙ୍କ ପ୍ରକୃତ ପ୍ରସଙ୍ଗ ଉପରେ ଆମର ସଂଗ୍ରାମ ଜାରି ରହିବ।
ବିଧାନସଭା ଫଳାଫଳ ସ୍ପଷ୍ଟ ହେବା ପରେ ଆସିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ, ଆମେ ଜନାଦେଶକୁ ଗ୍ରହଣ କରୁଛୁ । ଯେଉଁମାନେ ନିର୍ବାଚନ ଜିତିଛନ୍ତି ସେମାନଙ୍କୁ ମୋର ଅଭିନନ୍ଦନ। ମୁଁ ସମସ୍ତ କଂଗ୍ରେସ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସେମାନଙ୍କର ପରିଶ୍ରମ ଏବଂ ନିଷ୍ଠା ପାଇଁ ଧନ୍ୟବାଦ ଜଣାଉଛି । ଆମେ ଏହି ନିର୍ବାଚନ ଫଳାଫଳରୁ ଶିକ୍ଷା ଗ୍ରହଣ କରି ଭାରତର ଲୋକଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ ଜାରି ରଖିବୁ ।