ଗୋଟିଏ ରାଜ୍ୟରେ ଚନ୍ଦ୍ରଭାନୁ ନାମରେ ଜଣେ ରାଜା ଥିଲେ l ସେ ମାଙ୍କଡମାନଙ୍କୁ ଭାରି ଭଲ ପାଉଥିଲେ l ଅବସର ସମୟରେ ରାଜା ମାଙ୍କଡ ମାନଙ୍କ ସହିତ ହସ କୌତୁକ କରି ସମୟ ବିତାଉଥିଲେ l
ମାଙ୍କଡ ମାନଙ୍କର ଜଣେ ସର୍ଦ୍ଦାର ଥିଲା l ସର୍ଦାର ମାଙ୍କଡକୁ ରାଜା ମଧ୍ୟ ମାନୁଥିଲେ l ରାଜାଙ୍କ ଉଆସ ପାଖରେ ଗୋଟାଏ ମେଣ୍ଢା ମଧ୍ୟ ରହୁଥିଲାl ମେଣ୍ଢାଟି ଭାରି ଉତ୍ପାତ କରୁଥାଏ l ରାଜାଙ୍କ ରୋଷେଇଶାଳରେ ପଶି ସବୁବେଳେ ଖାଦ୍ୟ ଜିନିଷ ଗୁଡାକ ଖାଇ ଯାଉଥିଲା l କିଛି ନଷ୍ଟକରି ଦେଉଥିଲା l କେତେବେଳେ କେମିତି ରୋଷେଇଆଳଙ୍କ ହାବୁଡରେ ପଡିଗଲେ ରୋଷେଇଆ ମାନେ ମସ୍ତବଡ ଠେଙ୍ଗାରେ ମେଣ୍ଢାଟାକୁ ପିଟିପିଟି ସେଠାରୁ ତଡି ଦେଉଥିଲେ l
ଦିନେ ମାଙ୍କଡ ସର୍ଦ୍ଦାରର ନଜରରେ ମେଣ୍ଢାକୁ ମାଡମାରିବାର ଦୃଶ୍ୟ ପଡିଲା l ଏହାଦେଖି ତାର ମନ ଭାରି ଦୁଃଖହେଲା l ଭାବିଲା ମାଙ୍କଡ ମାନଙ୍କର ଯଦି କୌଣସି କାରଣରୁ ରାଜାଙ୍କ ସହିତ ଝଗଡା ହୁଏ, ତେବେ ସେମାନଙ୍କୁ ମଧ୍ୟ ପିଟିପିଟି ରାଜ୍ୟରୁ ବାହାର କରିଦେବେ l
ଦିନେ ସର୍ଦ୍ଦାର ତା’ର ସାଥି ମାନଙ୍କୁ ରାଜଉଆସ ଛାଡିଯିବାକୁ କହିଲା l ହେଲେ କେହି ଏଥିରେ ରାଜି ହେଲେ ନାହିଁ l ବରଂ ବୁଢାମାଙ୍କଡର କଥାକୁ ହସରେ ଉଡାଇଦେଲେ l ସର୍ଦ୍ଦାର ଯେତେ ବୁଝାଇବାକୁ ଚେଷ୍ଟାକଲେ ମଧ୍ୟ କେହି ଶୁଣିବାକୁ ରାଜି ହେଲେ ନାହିଁ l ଶେଷରେ ମନଦୁଃଖରେ ସେ ଉଆସ ଛାଡି ଜଙ୍ଗଲ ଭିତରକୁ ଚାଲିଗଲା l
ଏହାର କିଛିଦିନପରେ ସେ ମେଣ୍ଢାଟି ପୁଣି ରୋଷେଇଶାଳରେ ପଶି ଖଇବା ଜିନିଷ ସବୁ ଖାଇଦେଲା l ଏହି ସମୟରେ ରୋଷେଇଆ ଦେଖିବାରୁ ଚୂଲିରୁ ଗୋଟାଏ ଜଳନ୍ତା କାଠ ବାହାରକରି ତା’ ଉପରକୁ ଫିଙ୍ଗିଦେଲା l ନିଆଁ ଲାଗି ମେଣ୍ଢାର ଲୋମ ସବୁ ଜଳିଗଲା l ମେଣ୍ଢାଟି ବିକଳରେ ଦୌଡି ଦୌଡି ଯାଇ ଘୋଡାଶାଳ ଭିତରେ ପଶିଗଲା l ଘୋଡାଶାଳରେ ନଡାପଡିଥିଲା l ସେଥିରେ ନିଆଁ ଲାଗିଗଲା l ସେତେବେଳେ ମେଣ୍ଢାଶାଳରେ ବନ୍ଧାହୋଇଥିବା କିଛି ଘୋଡା ପୋଡିହୋଇ ମଲେ ଆଉ କେତେକ ଅଧା ଜଳାହୋଇ ରଡି ଛାଡିଲେ l ରାଜାଙ୍କର ପ୍ରିୟ ଘୋଡାର ଦେହର କିଛି ଅଂଶ ପୋଡି ହୋଇଗଲା l
ରାଜା ପଶୁବୈଦ୍ୟଙ୍କୁ ଡକାଇ ଘୋଡାର ଚିକିତ୍ସା ବ୍ୟବସ୍ଥା କଲେ l ବୈଦ୍ୟକହିଲେ “ମାଙ୍କଡର ଚର୍ବିରେ ମଲମ ତିଆରି କରିବାକୁ ହେବ l ସେଇ ମଲମ ଘୋଡାର ଦେହରେ ଲଗାଇଲେ ଘା ସବୁ ଶିଘ୍ର ଶୁଖିବ l”
ରାଜା ତାଙ୍କ ଉଆସ ପାଖରେ ରହୁଥିବା ମାଙ୍କଡକୁ ମାରି ସେମାନଙ୍କ ଚର୍ବିରୁ ମଲମ ତିଆରି କରିବାକୁ ଆଦେଶ ଦେଲେ l ରାଜାଙ୍କ ଆଦେଶ ପାଇ ସିପାହିମାନେ ମାଙ୍କଡମାରି ତା’ର ଚର୍ବି ପଶୁବୈଦ୍ୟଙ୍କୁ ଦେଲେ l ଶେଷରେ ଘୋଡାଙ୍କର ଚିକିତ୍ସା କରାଗଲା l
ଜଙ୍ଗଲରେ ଥିବା ମାଙ୍କଡ ସର୍ଦ୍ଦାର ଏ ଖବର ପାଇ ମନଦୁଃଖ କଲା l ତା କଥା ମାନି ଆଗରୁ ମାଙ୍କଡମାନେ ରାଜଉଆସ ଛାଡି ଚାଲି ଯାଇଥିଲେ ଏପରି ବଂଶଧ୍ୱଂସ ହୋଇନଥାନ୍ତା l
ବୁଢାସର୍ଦ୍ଦାର ମାଙ୍କଡଟି ଯେଉଁ ଜଙ୍ଗଲରେ ରହୁଥିଲା ସେଇ ଜଙ୍ଗଲ ପାଖରେ ଗୋଟିଏ ବଡ ପୋଖରୀ ଥିଲା l ସେହି ପୋଖରୀରେ ଗୋଟାଏ ବଡ କୁମ୍ଭୀର ରହୁଥାଏ l ଯିଏ ସେହି ପୋଖରୀ ଭିତରକୁ ପାଣି ପିଇବାକୁ ପଶୁଥିଲା ସେ ତାକୁ ଗିଳି ଦେଉଥିଲା l
ଦିନେ ମାଙ୍କଡଙ୍କ ସର୍ଦ୍ଦାର ସେଇ ପୋଖରୀକୁ ପାଣି ପିଇବାକୁ ଗଲା l ସେ କିନ୍ତୁ ପୋଖରୀ ଭିତରକୁ ପଶିଲାନାହିଁ l ସେ କୁମ୍ଭୀର ସହ ବନ୍ଧୁତା କରି ତାକୁ କହିଲା “ବନ୍ଧୁ, ତୁମ ପାଖରେ ଥିବା ମୋତିହାରଟିକୁ ମୋତେ ଦିଅ l ଏହାକୁ ବ୍ୟବହାର କରି ମୁଁ ରାଜାଙ୍କ ଲୋକମାନଙ୍କୁ ତୁମର ପୋଖରୀ ପର୍ଯ୍ୟନ୍ତ ଆଣି ପାରିବି ତୁମେ ଭୋଜନ ପାଇବ l
କୁମ୍ଭୀର ପାଖରେ ଥିବା ମୋତିହାରକୁ ସେ ବୁଢାମାଙ୍କଡକୁ ଦେଲା l ମାଙ୍କଡ ସେଇ ହାରଟିକୁ ବେ କରେ ପକାଇ ରାଜଉଆସରେ ବୁଲିଲା l ମାଙ୍କଡ ବେକରେ ପଡିଥିବା ମୋତି ହାରଟା ଚକ୍ ଚକ୍ କରୁଥାଏ lଏ ଖବର ସିପାହିମାନେ ଯାଇ ରାଜାଙ୍କୁ ଦେଲେ l ରାଜା ମାଙ୍କଡ ସର୍ଦ୍ଦାରକୁ ପଚାରିଲେ, “ତୁମେ ଏତେ ଦାମିକା ମୋତିହାର କେଉଁଠୁ ପାଇଲ ?”
ମାଙ୍କଡଙ୍କ ସର୍ଦ୍ଦାର କହିଲା, “ଏଠାରୁ ଅଳ୍ପ ଦୂରରେ ଜଙ୍ଗଲ ଭିତରେ ଗୋଟାଏ ବଡ ପୋଖରୀ ଅଛି, ସେଇ ପୋଖରୀରେ ଯିଏ ଗାଧୋଇବ, ସେ ଏମିତିଆ ମୋତିହାର ପାଇବ l ଆପଣ ନିଜ ପରିବାରକୁ ନେଇ ସେଠାକୁ ଯାଆନ୍ତୁ l ସମସ୍ତେ ଗୋଟିଏ ଲେଖାଏଁ ମୋତିହାର ପାଇବେ l”
ରାଜା ମାଙ୍କଡ କଥାରେ ବିଶ୍ୱାସକରି ରାଣୀ ଓ ଅନ୍ୟମାନଙ୍କୁ ନେଇ ଜଙ୍ଗଲ ପାଖରେ ଥିବା ପୋଖରୀ ପାଖକୁ ଗଲେ l ତାଙ୍କ ସହିତ ମାଙ୍କଡ ସର୍ଦ୍ଦାର ମଧ୍ୟ ଗଲା l
ମାଙ୍କଡ ସର୍ଦ୍ଦାର କହିଲା, “ରାଜା ପ୍ରଥମେ ଆପଣଙ୍କ ପରିବାରର ସଭିଏଁ ଗାଧୋଇ ସାରନ୍ତୁ, ତାପରେ ଆପଣ ପୋଖରୀ ଭିତରେ ପଶିବେ l” ରାଜ ପରିବାରର ସମସ୍ତେ ପୋଖରୀ ଭିତରକୁ ଗଲେ ହେଲେ କେହି ଫେରିଲେ ନାହିଁ l
“ପୋଖରୀ ଭିତରୁ କେହି ନ ଫେରିବାର କାରଣ କ ‘ଣ? ରାଜା ପଚାରିଲେ l ରାଜାଙ୍କ କଥା ଶୁଣି ମାଙ୍କଡ ସର୍ଦ୍ଦାର ଗଛ ଉପରକୁ ଚଢିଯାଇ କହିଲା, “ରାଜା ତୁମେ ତୁମର ସ୍ୱାର୍ଥପାଇଁ ମୋ ବଂଶ ନିପାତ କରି ମାଙ୍କଡ ଚର୍ବିରେ ଘୋଡାମାନଙ୍କୁ ଚିକିତ୍ସା କଲ , ମୋତେ ଛାଡି ମୋ ବଂଶର ସମସ୍ତେ ମଲେ l ତା ର ପ୍ରତିଶୋଧ ନେବାପାଇଁ ତୁମର ବଂଶଧର ମାନଙ୍କୁ ଏଇ ପୋଖରୀରେ ଥିବା କୁମ୍ଭୀର ମୁହଁକୁ ଠେଲିଦେଲି l ସେମାନଙ୍କୁ କୁମ୍ଭୀର ଖାଇଯାଇଥିବ l ମୋ ବଂଶରେ କେବଳ ମୁଁ ବଞ୍ଚି ଥିବାରୁ ତୁମକୁ ଛାଡିଦେଲି l ଏଣୁ ତୁମେ ପୋଖରୀକୁ ନ ଯାଇ ରାଜଉଆସକୁ ଫେରିଯାଅ l” ରାଜା ମନଦୁଃଖରେ ଉଆସକୁ ଫେରିଗଲେ l