
ନୂଆଦିଲ୍ଲୀ: କଂଗ୍ରେସ ସଭାପତି ପଦ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍ଗୁଡ଼ିକର ଗଣନା ଆଜି ପୂର୍ବାହ୍ନ ୧୦ଟା ବେଳେ ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଆରମ୍ଭ ହୋଇଛି। ଏଥିରେ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି ବିଶିଷ୍ଟ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ଓ ତିରୁବନନ୍ତପୁରମ୍ କଂଗ୍ରେସ ସାଂସଦ ଶଶୀ ଥରୁର୍। ଭୋଟ୍ ଗଣନା ପ୍ରକ୍ରିୟା ଆରମ୍ଭ କରାଯିବା ପୂର୍ବରୁ ‘କଂଗ୍ରେସ ସେଣ୍ଟ୍ରାଲ୍ ଇଲେକ୍ସନ୍ ଅଥରିଟି’ର ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀ ଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ସନ୍ତୋଷ ବ୍ୟକ୍ତ କରି ସେ କହିଛନ୍ତି: ଏହି ନିର୍ବାଚନ ଅବାଧ, ନ୍ୟାୟସଙ୍ଗତ ଓ ସ୍ୱାଭାବିକ ଭାବେ କରାଯାଇଛି। ଗୁପ୍ତ ବାଲଟ୍ ହୋଇଥିବାରୁ କିଏ କାହାକୁ ଭୋଟ୍ ଦେଇଛି ତାହା ଜଣାପଡ଼ିବ ନାହିଁ। ଭୋଟ୍ ଗଣନାରେ ଖଡ଼ଗେଙ୍କର ‘କାଉଣ୍ଟିଙ୍ଗ୍ ଏଜେଣ୍ଟ୍’ ଅଛନ୍ତି ପ୍ରମୋଦ ତିୱାରି, କୋଡ଼ିକୁନୀଲ୍ ସୁରେଶ, ଗୌରବ ଗୋଗୋଇ, ସୟେଦ୍ ନାସିର୍ ହୁସେନ୍, କୁଲଜିତ୍ ସିଂହ ବାଗ୍ରା ଏବଂ ଗୁରଦୀପ ସିଂହ ସପ୍ପାଲ୍। ସେହିପରି, ଥରୁର୍ଙ୍କ କାଉଣ୍ଟିଙ୍ଗ୍ ଏଜେଣ୍ଟ୍ ହେଉଛନ୍ତି କାର୍ତି ଚିଦମ୍ବରମ୍, ଅତୁଲ୍ ଚତୁର୍ବେଦୀ ଏବଂ ସୁମେଧ ଗାଇକ୍ୱାଲ।ଦେଶବ୍ୟାପୀ ୬୮ଟି ବୁଥ୍ରେ ୯,୫୦୦ରୁ ଅଧିକ ପ୍ରତିନିଧି ନିଜ ନିଜର ଭୋଟ୍ ଦେଇଥିଲେ। ଭୋଟ୍ ଗଣନା ଶେଷ ହେବା ପରେ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଫଳାଫଳ ଘୋଷଣା କରାଯିବ।