୮୩ ବର୍ଷ ବୟସରେ ଶିଳ୍ପପତି ରାହୁଲ ବଜାଜଙ୍କ ପରଲୋକ ।
ବଜାଜ ଗ୍ରୁପ୍ର ପୂର୍ବତନ ଚେୟାରମ୍ୟାନ୍ ତଥା ବଜାଜ୍ ମୋଟର୍ସର ପ୍ରତିଷ୍ଠାତା ରାହୁଲ ବଜାଜଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଛି।

ନୂଆଦିଲ୍ଲୀ: ବଜାଜ ଗ୍ରୁପ୍ର ପୂର୍ବତନ ଚେୟାରମ୍ୟାନ୍ ତଥା ବଜାଜ୍ ମୋଟର୍ସର ପ୍ରତିଷ୍ଠାତା ରାହୁଲ ବଜାଜଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଛି। ସେ ଦୀର୍ଘ ଦୀନ ଧରି କର୍କଟ ରୋଗରେ ପୀଡିତ ଥିଲେ। ରାହୁଲ ବଜାଜ ଜୁନ୍ ୧୦ ତାରିଖ ୧୯୩୮ ମସିହାରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ସେ ମାରୱାଡି ବ୍ୟବସାୟୀ ପରିବାରର ଥିଲେ।ରାହୁଲ ବଜାଜ ଦୀର୍ଘ ଦୀନ ଧରି ବଜାଜ ଗ୍ରୁପର ଦାୟିତ୍ୱ ତୁଲାଉଥିଲେ। ରାହୁଲ ବଜାଜ ପ୍ରାୟ ୫୦ ବର୍ଷ ଧରି ବଜାଜ ଗ୍ରୁପର ଚେୟାରମ୍ୟାନ୍ ଥିଲେ। ୨୦୦୧ରେ ସେ ପଦ୍ମ ଭୂଷଣ ପୁରସ୍କାର ପାଇଥିଲେ । ରାହୁଲ ବଜାଜ ସ୍ୱାଧୀନତା ସଂଗ୍ରାମୀ ଜାମନାଲାଲ ବଜାଜଙ୍କ ନାତି ଥିଲେ। ସେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରେ ଅଧ୍ୟୟନ କରୁଥିଲେ, ତାପରେ ସେ ଆଇନ ଡିଗ୍ରୀ ହାସଲ କରିବାକୁ ମୁମ୍ବାଇ ଯାଇଥିଲେ। ତାଙ୍କ ନେତୃତ୍ୱରେ ବଜାଜ ଅଟୋ କାରବାର ୭.୨ କୋଟିରୁ ୧୨ ହଜାର କୋଟିରେ ପହଞ୍ଚି ଦେଶର ଅଗ୍ରଣୀ ସ୍କୁଟର ଏବଂ ଦୁଇ ଚକିଆ ବିକ୍ରେତା ହୋଇପାରିଛି । ପ୍ରସିଦ୍ଧ ଶିଳ୍ପପତି ରାହୁଲ ବଜାଜଙ୍କ ମୃତ୍ୟୁରେ କଂଗ୍ରେସ ନେତା ଅଭିଷେକ ସିଂଭି କହିଛନ୍ତି ଯେ, ସେ ତାଙ୍କର ପାରିବାରିକ ବନ୍ଧୁ ଥିଲେ। ତାଙ୍କ ସହିତ ସେ ରାଜ୍ୟସଭାରେ ଅନେକ ମୁହୂର୍ତ୍ତ ବିତାଇଛନ୍ତି ।