ଖୁବ୍ ଶୀଘ୍ର ଦିଲ୍ଲୀ-ମୁମ୍ବାଇରେ ନିର୍ମାଣ ହେବ ଇଲେକ୍ଟ୍ରିକ୍ ରାଜପଥ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଦିଲ୍ଲୀ-ମୁମ୍ବାଇରେ ନିର୍ମାଣ ହେବ ଇଲେକ୍ଟ୍ରିକ୍ ରାଜପଥ । କେନ୍ଦ୍ର ସରକାର ଏନେଇ ଯୋଜନା କରୁଥିବା ବେଳେ ଗତ ସୋମବାର ନୂଆଦିଲ୍ଲୀରେ ହାଇଡ୍ରୋଲିକ ଟ୍ରେଲର ମାଲିକ ସଂଘ ତରଫରୁ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗ ଦେଇ ଏହି ଯୋଜନା ବିଷୟରେ ସୂଚନା ଦେଇଛନ୍ତି ।
ଇଲେକ୍ଟ୍ରିକ ରାଜପଥ ଏପରି ଏକ ସଡ଼କ ଯେଉଁ ସଡ଼କ ଉପରେ ଚାଲୁଥିବା ଯାନ ଗୁଡ଼ିକୁ ବିଦ୍ୟୁତ ଯୋଗାଣ କରାଯାଇଥାଏ । ରାସ୍ତାରେ ଲଗାଯାଇଥିବା ତାର ମାଧ୍ୟମରେ ଯାନଗୁଡ଼ିକୁ ବିଦ୍ୟୁତ ସଂଯୋଗ କରାଯାଇଥାଏ । ଗଡ଼କରୀଙ୍କ ସୂଚନା ଅନୁସାରେ ଏହି ରାଜପଥରେ ଟ୍ରଲିବସ ଭଳି ଟ୍ରଲିଟ୍ରକ ମଧ୍ୟ ଯାତାୟାତ କରିପାରିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ତ୍ରାଳୟର ସମସ୍ତ ଜିଲ୍ଲାକୁ ୪ଟି ଲେନ ସଡ଼କ ଦ୍ୱାରା ସଂଯୋଗ କରାଯିବ । ଏହା ସହ ୨.୫ଲକ୍ଷ କୋଟି ଟଙ୍କା ବ୍ୟୟରେ ଏକ ସୁଡ଼ଙ୍ଗ ମଧ୍ୟ ନିର୍ମାଣ କରାଯିବ । ସେହିପରି ସମସ୍ତ ସେବାଗୁଡ଼ିକୁ ଡିଜିଟାଲ କରିବାର ଯୋଜନା ହେଉଥିବା ବେଳେ ଏହି ଯୋଜନା ଦ୍ୱାରା ସଡ଼କ ଦୁର୍ଘଟଣାକୁ କମ କରାଯାଇ ପାରିବ । ଏହି ଯାନକୁ ଚଳାଇବା ପାଇଁ ଦକ୍ଷ ଡ୍ରଇଭରମାନଙ୍କୁ ନିଯୁକ୍ତ କରାଯିବ । ଏହି ଯୋଜନା ଦ୍ୱାରା ଦିନକୁ ଦିନ ବୃଦ୍ଧି ପାଉଥିବା ପ୍ରଦୁଷଣକୁ ମଧ୍ୟ ଅନେକାଂଶରେ ରୋକା ଯାଇପାରିବ ।