
କଲ୍ୟାଣସିଂହପୁର : ତିନି ତିନିଟି ପିଲାଙ୍କ ସାମ୍ନାରେ ମାଆକୁ ହାଣିଦେଲା ନୃଶଂସ ବାପା! ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା କତାଗୁଡ଼ା ଗାଁରେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମୃତଦେହ ଜବତ କରି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।
କତାଗୁଡ଼ା ଗାଁର ନୀଳକଣ୍ଠ କୌଶଲ୍ୟା ଜଣେ ଶ୍ରମିକ ଶ୍ରେଣୀର ଲୋକ। ପରିବାର କହିଲେ ପତ୍ନୀ ରାଧା ନାୟକ ଓ ତିନି ପୁଅଝିଅ। ସୋମବାର ରାଧା କୌଣସି କାମରେ ବାପ ଘରକୁ ଯାଇଥିଲେ। ଅପରାହ୍ନରେ କିନ୍ତୁ ଘରକୁ ପଳାଇ ଆସି ଥିଲେ। ଏହାକୁ ନେଇ ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ ପାଣିତୁଣ୍ଡ ହୋଇଥିଲା।
ଆଜି ସକାଳେ ପାଣିତୁଣ୍ଡ କିନ୍ତୁ ଉଗ୍ରରୂପ ଧାରଣ କରିଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ନୀଳକଣ୍ଠ ଏକ ଟାଙ୍ଗିଆରେ ପତ୍ନୀ ରାଧାଙ୍କ ମୁଣ୍ଡକୁ ଗୋଟିଏ ଚୋଟ ପକାଇ ଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଚଟାଣରେ ପଡ଼ିଥିଲେ ରାଧା। ନୀଳକଣ୍ଠଙ୍କ ପିଲାମାନେ କାନ୍ଦିକାନ୍ଦି ଏନେଇ ପଡ଼ୋଶୀଙ୍କୁ କହିଥିଲେ। ପଡ଼ୋଶୀମାନେ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ୱୁଲାନ୍ସ ପହଞ୍ଚିଲା ବେଳକୁ ରାଧାର ମୃତ୍ୟୁ ହୋଇସାରିଥିଲା।
ଖବର ପାଇ କଲ୍ୟାଣସିଂହପୁର ଥାନା ପୁଲିସ ଓ ଏସ୍ଡିପିଓ ଦେବଜ୍ୟୋତି ଦାସ ଗାଁରେ ପହଞ୍ଚିଥିଲେ। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳି ନାହିଁ।


