ରାଜ୍ୟରେ ପଞ୍ଜୀକୃତ ହୋଇଛି ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା
ଭୁବନେଶ୍ୱର, 30 ଜାନୁୟାରୀ – ମୋଟର ଯାନ ଫିଟନେସ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାଜ୍ୟରେ ପଞ୍ଜୀକୃତ ହୋଇଛି ପ୍ରଥମ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା ବା ଏଟିଏସ । କଟକ ଆରଟିଓ ଅଧୀନରେ ଏହାର ସ୍ଥାପନା ହୋଇଛି । ବୈଷୟିକ ଜ୍ଞାନକୌଶଳ ଜରିଆରେ ସ୍ୱୟଂକ୍ରିୟ ପଦ୍ଧତିରେ ଏହା ଗାଡ଼ିର ଫିଟନେସ ପରୀକ୍ଷା କରିବ ।
କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁଯାୟୀ ଗାଡ଼ିର ଫିଟନେସ ପରୀକ୍ଷା ପାଇଁ ଏଟିଏସ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଖୁବଶୀଘ୍ର ରାଜ୍ୟରେ ଆହୁରି 21 ଏଟିଏସ ସ୍ଥାପନା ହେବ । ସଡ଼କ ସୁରକ୍ଷା କ୍ଷେତ୍ରରେ ଯାନର ସ୍ଥିତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ରାସ୍ତାରେ ଗାଡ଼ି ଚାଲିବା ପାଇଁ ଗାଡ଼ିର ସ୍ଥିତି କିଭଳି ଥିବା ଦରକାର ସେଥିପାଇଁ ମୋଟର ଯାନ ନିୟମାବଳୀ ରହିଛି। ତେବେ ପୂର୍ବରୁ ଫିଟନେସ ସାର୍ଟିଫିକେଟ ତଥା ଗାଡ଼ିର ପଞ୍ଜୀକରଣ ନବୀକରଣ ମନୁଷ୍ୟ ମୂଲ୍ୟାୟନ ଆଧାରରେ ହେଉଥିଲା । ଏହି ପରୀକ୍ଷଣ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଫିଟନେସ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ରାସ୍ତାକୁ ଯିବା ପାଇଁ ଯୋଗ୍ୟ ନ ଥିବା ଗାଡ଼ି ଗୁଡ଼ିକ ସ୍ୱୟଂକ୍ରିୟ ପଦ୍ଧତିରେ ବାଦ୍ ପଡ଼ିବେ। ଯାହା ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସହାୟକ ହେବ ବୋଲି ସରକାର ଆଶା ରଖିଛନ୍ତି ।