
ନୂଆଦିଲ୍ଲୀ: ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ଉନ୍ମୁକ୍ତ ଚାନ୍ଦ ସେୟାର କରିଥିବା କିଛି ଫଟୋ ଏବେ କ୍ରିକେଟ ପ୍ରେମୀଙ୍କ ଭିତରେ ହଲଚଇ ସୃଷ୍ଟି କରିଛି। ୨୯ ବର୍ଷିୟ ଏହି ଖେଳାଳି ଗତବର୍ଷ କ୍ରିକେଟରୁ ଅବସର ନେଇଥିଲେ। ଏବେ ସେ ଆମେରିକା ପାଇଁ କ୍ରିକେଟ ଖେଳୁଛନ୍ତି। ଏହି ସମୟରେ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଦୁଇଟି ଫଟୋ ସେୟାର କରିଛନ୍ତି। ଏଥିରେ ତାଙ୍କ ଆଖିରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ତେବେ ଭଲ ଖବର ଏହା ଯେ, ଆଘାତ ସତ୍ତ୍ୱେ ତାଙ୍କ ଆଖି ସୁରକ୍ଷିତ ଅଛି। ଯଦି କିଛି ଅଘଟଣ ଘଟିଥାନ୍ତା, ତେବେ ତାଙ୍କ କ୍ୟାରିଅର ମଧ୍ୟ ଅନ୍ଧକାର ହୋଇଯାଇଥାନ୍ତା। ତେବେ ତାଙ୍କ ଆଖିରେ ଏଭଳି ଆଘାତ କିପରି ଲାଗିଲା ତାହାର ଖୁଲାସା ହୋଇପାରିନି। ସେ ଫଟୋ ପୋଷ୍ଟ କରିବା ସହ ଉଲ୍ଲେଖ କରିଛନ୍ତି ଯେ, ‘ଜଣେ ଆର୍ଥଲେଟ ପାଇଁ ବାଟ ସୁଗମ ନୁହେଁ, ଅନେକ ଥର ବିଜୟ ସହ ଫେରିବାକୁ ହୋଇଥିବା ବେଳେ କେତେକସ୍ଥଳେ ନିରାଶା ମଧ୍ୟ ମିଳିଥାଏ। ଏହାଛଡ଼ା ଅନେକ ବାର ସ୍କ୍ରାଚ୍ ଓ ଆଘାତ ନେଇ ଘରକୁ ଫେରିବାକୁ ପଡ଼ିଥାଏ। ଭଗବାନଙ୍କୁ ଧନ୍ୟବାଦ ଯେ, ସେ ଏକ ବଡ଼ ବିପଦରୁ ରକ୍ଷା କରିଦେଲେ। ସେ ତାଙ୍କ ପୋଷ୍ଟରେ ଖେଳାଳିମାନଙ୍କୁ ଖେଳିବା ବେଳେ ସାବଧାନତା ରକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ତାଙ୍କ ଶୁଭେଚ୍ଛୁଙ୍କ ଶୁଭକାମନା ନିମନ୍ତେ ଧନ୍ୟବାଦ ମଧ୍ୟ ଦେଇଛନ୍ତି।