
ନିଆଳି : ଗତକାଲି ସମଗ୍ର ଦେଶରେ ଦୀପାବଳି ଯୋଗୁଁ ବେଶ୍ ହସଖୁସିର ପରିବେଶ ଥିବା ବେଳେ କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁରରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଅଡ଼ଶପୁରରେ ଥିବା ଦେବକି ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି। ହଷ୍ଟେଲ କର୍ତ୍ତୃପକ୍ଷ ଏହା ଏକ ଆତ୍ମହତ୍ୟାଜନିତ ମାମଲା ବୋଲି କହୁଥିବା ବେଳେ ପରିବାର ଲୋକେ କିନ୍ତୁ ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତ ଛାତ୍ରୀଙ୍କ ଘର ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ଅଡ଼ଶପୁରଠାରେ ଏକ ଘରୋଇ ହଷ୍ଟେଲରେ ରହି ଯୁକ୍ତ ୩ ତୃତୀୟ ବର୍ଷ ପାଠ ପଢ଼ୁଥିଲା। ସେ ୨୦୨୦ ମସିହାରୁ ଏହି ହଷ୍ଟେଲରେ ରହୁଥିଲା। ଗତକାଲି ଦୀପାବଳି ପାଇଁ ହଷ୍ଟେଲର ସବୁ ଛାତ୍ରୀ ବେଶ୍ ଖୁସି ଥିବା ବେଳେ ସନ୍ଧ୍ୟାରେ ସମସ୍ତେ ବାଣ ଫୁଟାଇବାକୁ ଛାତକୁ ଯାଇଥିଲେ। ମାତ୍ର ସମ୍ପୃକ୍ତ ଛାତ୍ରୀଜଣକ ଦେହ ଭଲ ଲାଗୁ ନ ଥିବା କହି ରୁମ୍ରେ ରହିଥିଲେ। ପିଲାମାନେ ବାଣ ଫୁଟାଇ ଆସି ସମ୍ପୃକ୍ତ ଛାତ୍ରୀଙ୍କୁ ଖୋଜିବାରୁ ଏକ ରୁମ୍ର ଭିତର ପଟୁ ବନ୍ଦ ଥିବା ଦେଖିବାକୁ ପାଇଲେ। ଏହାପରେ ଝରକା ଫାଙ୍କରେ ଭିତରକୁ ଅନାଇ ଛାତ୍ରୀଜଣକ ଝୁଲୁଥିବା ଦେଖିବାକୁ ପାଇଲେ। ଏନେଇ ପୁଲିସ୍କୁ ଖବର ଦିଆଯିବାରୁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଖବର ପାଇ ଛାତ୍ରୀଙ୍କ ପରିବାର ଲୋକେ ଅଡଶପୁରରେ ପହଞ୍ଚିଥିବା ବେଳେ ଝିଅ ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି। ଝିଅର ମୃତ୍ୟୁ ପଛରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ମୃତ ଛାତ୍ରୀଙ୍କ ସମ୍ପର୍କୀୟ କହିଛନ୍ତି, ଗତକାଲି ହଷ୍ଟେଲ କର୍ତ୍ତୃପକ୍ଷ ଘରକୁ ଫୋନ୍ କରି ତୁମ ଝିଅ ମିସିଂ ଥିବା କହିଲେ। ଆମେ ସଙ୍ଗେସଙ୍ଗେ ଏଠାରେ ପହଞ୍ଚିବା ପରେ ଝିଅ ମରିଥିବା ସେ କହିଥିଲେ। ହେଲେ ଏଠାରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତିରୁ ଆମ ଝିଅକୁ ହତ୍ୟା କରାଯାଇଥିବା ଅନୁମାନ କରୁଛୁ। ଏନେଇ ଥାନାରେ ହଷ୍ଟେଲ ମାଲିକ, ତାଙ୍କ ପତ୍ନୀ ୩ ସହଯୋଗୀଙ୍କ ନାଁରେ ଅଭିଯୋଗ କରିଛନ୍ତି।