
ପାଟଣାଗଡ : ପରକିୟା ପ୍ରୀତି ସନ୍ଦେହରେ ସ୍ତ୍ରୀର ଗଳା କାଟି ସ୍ୱାମୀ ଫେରାର୍ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ବାହାବଳ ଗାଁରେ । ପରକିୟା ପ୍ରୀତି ସନ୍ଦେହରେ ଶଶୁର ଘରକୁ ଯାଇ ସ୍ତ୍ରୀର ଗଳା କାଟି ଫେରାର୍ ହୋଇଯାଇଛି ନୃଶଂସ ସ୍ବାମୀ ସୁଧୀର ବାଗ ।
ଗୁରୁତର ଅବସ୍ଥାରେ ସ୍ତ୍ରୀକୁ ଉଦ୍ଧାର କରି ପରିବାର ଲୋକ ପ୍ରଥମ ବେଲପଡା ମେଡିକାଲରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତର ମହିଳା ଜଣକ ହେଲେ ହେମ ବାଗ ।
୧୧ ବର୍ଷ ତଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିବାବେଳେ ଉଭୟ କାନୁଟ ଗାଁରେ ରହୁଥିଲେ । ଉଭୟଙ୍କର ଦୁଇ ଝିଅ ମଧ୍ୟ ଅଛନ୍ତି । ତେବେ ଗତ ସୋମବାର ଦିନ ହେମ ଗାଁର ଜଣେ ବ୍ୟକ୍ତିଙ୍କ ସହ ଫୋନ୍ରେ କଥାବାର୍ତ୍ତା କରୁଥିବା ବେଳେ ସୁଧୀର ଦେଖି ତାକୁ କାଠ ଫାଳିଆରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ହେମ ଘରୁ ପ୍ରେମିକ ସହ ଚାଲିଯାଇଥିଲେ । କିଛି ଦିନ ସେଠାରେ ରହିବା ପରେ ହେମ ତାଙ୍କ ଭାଉଜ ଘର ବାହାବଳ ଗାଁକୁ ଆସି ରହିଥିଲେ । ତେବେ ଶୁକ୍ରବାର ରାତିରେ ଅଭିଯୁକ୍ତ ସ୍ଵାମୀ ରାତିରେ ଲୁଚିକି ଯାଇ ସ୍ତ୍ରୀର ତଣ୍ଟି କାଟି ଫେରାର ହୋଇଯାଇଥିବା ପୀଡିତା ମହିଳାଙ୍କ ଭାଉଜ ଅଭିଯୋଗ କରିଛନ୍ତି । ଏନେଇ ଭୟରେ ପୀଡିତାଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିନଥିବା କହିଛନ୍ତି ।