ଅପରାଧଆଇନ କାନୁନଦେଶ

ଗିରଫ ହେଲା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ଶେଷ ୬ନଂ ଶୁଟର

ଗିରଫ ହେଲା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ଶେଷ ୬ନଂ ଶୁଟର । ପଞ୍ଜାବୀ ସିଙ୍ଗର ଅଥବା ରାଜନେତା ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡ ଘଟଣାର ଶେଷ ଶୁଟରକୁ ଗିରଫ କରିଛି ପୁଲିସ୍‌ । ଗିରଫ ହୋଇଥିବା ଶୁଟର୍‌ର ନାଁ ଦୀପକ ଓରଫ ମୁଣ୍ଡି। ଏନେଇ ସୂଚନା ଦେଇଛନ୍ତି ପଞ୍ଜାବ ପୁଲିସ୍‌ ମହାନିର୍ଦ୍ଦେଶକ ଗୌରବ ଯାଦବ ।

ମୁସେୱାଲାଙ୍କୁ ୬ ଜଣ ଶୁଟର ଅତ୍ୟନ୍ତ ନିକଟରୁ ଅତି ନିର୍ମମ ଭାବେ ଏକାଧିକ ରାଉଣ୍ଡ ଗୁଳି ଚଳାଇ ହତ୍ୟା କରିଥିଲେ। ଏହି ଘଟଣାରେ ଦିଲ୍ଲୀ ପୁଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିଥିବା ବେଳେ ପଞ୍ଜାବ ପୁଲିସ୍‌ର ଏନକାଉଣ୍ଟରରେ ୨ ଜଣ ଶୁଟର ନିହତ ହୋଇଥିଲେ। ଏବେ ଶେଷ ତଥା ୬ନଂ ଶୁଟର ପୁଲିସ୍‌ ହାତରେ ଧରାପଡ଼ିଛି। ପଞ୍ଜାବ ପୁଲିସ୍‌ ଓ କେନ୍ଦ୍ରୀୟ ଏଜେନ୍ସି ସହାୟତାରେ ମୁଣ୍ଡି ଓ ତା’ର ଦୁଇ ସହଯୋଗୀ କପିଲ ପଣ୍ଡିତ ଏବଂ ରାଜିନ୍ଦରକୁ ପଶ୍ଚିମବଙ୍ଗ-ନେପାଳ ସୀମାରୁ ଗିରଫ କରାଯାଇଛି।

ସୂଚନା ଥାଉ , ମେ’ ୨୯ ତାରିଖରେ ପଞ୍ଜାବର ମାନସା ଜିଲ୍ଲାରେ ସିଦ୍ଧୁଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାର ଦିନକ ପୂର୍ବରୁ ମୁସେୱାଲାଙ୍କୁ ମିଳୁଥିବା ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରାଯାଇଥିଲା। ଘଟଣା ଦିନ ମୁସେୱାଲା ତାଙ୍କର ସିକ୍ୟୁରିଟି ଗାର୍ଡମାନଙ୍କୁ ମଧ୍ୟ ନିଜ ସହ ନେଇ ନଥିଲେ। ଏହାର ସୁଯୋଗ ନେଇ ୬ ଜଶ ଶୁଟର ତାଙ୍କୁ ହତ୍ୟା କରିଥିଲେ।

ତଦନ୍ତରୁ ଜଣାପଡ଼ିଛି ଯେ,କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାରର ନିର୍ଦ୍ଦେଶରେ ମୁସେୱାଲାଙ୍କୁ ହତ୍ୟା କରାଯାଇଛି । ଏଥିରେ ଜେଲରେ ଥିବା ଲରେନ୍ସ ବିଷ୍ଣୋର ମଧ୍ୟ ଭୂମିକା ରହିଛି। ସେ ଜେଲ ଭିତରେ ରହି ମୁସେୱାଲାଙ୍କୁ ହତ୍ୟା କରିବାକୁ ବ୍ଲି-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ମାନସା ପୁଲିସ୍‌ ମୁସେୱାଲାଙ୍କ ନାଁରେ ଦାଖଲ କରିଥିବା ଚାର୍ଜଶିଟରେ ୩୦ ଜଣଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଗିରଫ ହୋଇ ସାରିଲେଣି। ଅନ୍ୟମାନଙ୍କୁ ଧରିବାକୁ ପୁଲିସର ଉଦ୍ୟମ ଜାରି ରହିଛି ।

ଅନ୍ୟପକ୍ଷରେ, ଚଳିତ ସପ୍ତାହରେ ମାନସା ପୁଲିସ୍‌ ମୁସେୱାଲାଙ୍କ ବାପାଙ୍କୁ ହତ୍ୟା କରିବା ପାଇଁ ଧମକ ଦେଉଥିବା ଅଭିଯୁକ୍ତକୁ ରାଜସ୍ଥାନର ଯୋଧପୁରରୁ ଗିରଫ କରିଛି।

 

Show More

Related Articles

Back to top button