ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଚିଠି ଖୋଲିଲା ନିଖୋଜ ରହସ୍ୟ, ୧୦ ମାସ ପରେ ମାଟି ତଳୁ ବାହାରିଲା ଛାତ୍ରୀଙ୍କ ମୃତ କଙ୍କାଳ

ନୂଆପଡ଼ା : ଛାତ୍ରୀ ନିଖୋଜ ହେବାର ଦଶ ମାସ ପରେ ଘରକୁ ଆସିଲା ବେନାମୀ ଚିଠି। ଆଉ ଚିଠି ଖୋଲିଲା ନିଖୋଜର ରହସ୍ୟ। ମାଟି ତଳୁ ବାହାରିଲା ନିଖୋଜ ଛାତ୍ରୀଙ୍କ କଙ୍କାଳ। ନୂଆପଡ଼ା ସଦର ଥାନା ପୁଲିସ୍‌ ଏହି ମାମଲାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ହେଲେ ହତ୍ୟାର କାରଣ ଏଯାଏ ଜଣାପଡ଼ି ନାହିଁ।

ନୂଆପଡା ସଦର ଥାନା ରତିପାଲି ଗାଁର ଧନିରାମ ନାୟକଙ୍କ ଝିଅ ହିତେଶ୍ୱେରୀ କଲେଜରେ ପଢ଼ୁଥିଲେ। ୨୦୨୨ ଜାନୁଆରୀ ୩ ତାରିଖ ରାତିରେ ସେ କେଉଁ ଆଡ଼େ ଚାଲି ଯାଇଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ପାଇନଥିଲେ। ପରେ ଏନେଇ ନୂଆପଡା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଥିଲା।

ହିତେଶ୍ୱେରୀ ନିଖୋଜ ହେବାର ୧୦ ମାସ ପରେ ଡାକରେ ଘରକୁ ଏକ ବେନାମୀ ଚିଠି ଆସିଲା। ସେହି ଚିଠିରେ ରହିଥିଲା ବିସ୍ଫୋରକ ତଥ୍ୟ। ହିତେଶ୍ୱେରୀକୁ ହତ୍ୟା କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି। ପରିବାର ଲୋକେ ସେହି ଚିଠିକୁ ଧରି ଥାନାରେ ପହଞ୍ଚି ଥିଲେ। ପୁଲିସ ଚିଠିକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ରୂପାନ୍ତରିତ କରିଥିଲା। ଚିଠିରେ ଲେଖାଯାଇଥିବା ଯୁବକଙ୍କ ପାଖରେ ପୁଲିସ୍‌ ପହଞ୍ଚିଥିଲା। ସେମାନଙ୍କୁ ଘନ ଘନ ଜେରା କରିଥିଲା। ଜେରା ବେଳେ ୬ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ। ଏହା ପରେ ପୁଲିସ୍‌ ୬ ଅଭିଯୁକ୍ତଙ୍କୁ ଧରି ରତିପାଲି ଗାଁରେ ପହଞ୍ଚିଥିଲା। ଆଉ ଧାନ ବିଲରେ ପୋତା ଯାଇଥିବା ହିତେଶ୍ୱେରୀଙ୍କ ନରକଙ୍କାଳ ଉଦ୍ଧାର କରିଥିଲା। ପରେ ୬ ଜଣଙ୍କୁ ନେଇ ଘଟଣାର ସିନ୍‌ ରିକ୍ରିଏସନ କରିଥିଲା ପୁଲିସ୍‌। ତେବେ କେଉଁ କାରଣର ଏପରି କାଣ୍ଡ ଘଟାଇଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ହତ୍ୟାକାରୀଙ୍କୁ ଫାଶି ଦେବାକୁ ପରିବାର ଲୋକ ଦାବି କରିଛନ୍ତି। ତଦନ୍ତ ଚାଲୁ ଥିବାରୁ ପୁଲିସ କୌଣସି ମତାମତ ଦେବାକୁ ମନା କରିଛି।

୧୦ ମାସ ତଳେ ଘଟିଥିଲା ହତ୍ୟାକାଣ୍ଡ। ଏତେଦିନ ଯାଏଁ କ’ଣ କରୁଥିଲା ପୁଲିସ୍‌? ପୁଲିସ୍‌ ତଦନ୍ତ କରୁଥିଲା ନା ମାମଲା ରୁଜୁ କରି ଚୁପ୍‌ ବସିଥିଲା। ଅନ୍ୟପକ୍ଷରେ ପରିବାର ଲୋକଙ୍କ ପାଖକୁ ଆସିଥିବା ବେନାମୀ ଚିଠି ପଠାଇଲା କିଏ? ସିଏ କାହିଁକି ନିଜ ନାଁ ଗୁପ୍ତ ରଖିବାକୁ ଚାହୁଁଥିଲେ? କ’ଣ ତାଙ୍କର ପୁଲିସ ଉପରେ ଭରସା ନାହିଁ କି? ୧୦ ମାସ ପରେ ମୃତଦେହ ମିଳିବା ପରେ ପୁଲିସ ଏମିତି ନାନା ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇ ପଡ଼ିଛି।

Show More

Related Articles

Back to top button