ଅପରାଧଆଇନ କାନୁନଦୁର୍ଘଟଣାଦେଶସ୍ୱତନ୍ତ୍ରସ୍ୱାସ୍ଥ୍ୟ

ନର୍ସ ହାତରୁ ଖସି ଚାଲିଗଲା ସଦ୍ୟଜାତ ଶିଶୁର ଜୀବନ

ହସ୍ପିଟାଲ୍‌ କର୍ମଚାରୀ ଓ ନର୍ସଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ୍

ଲକ୍ଷ୍ନୌ: ନର୍ସ ହାତରୁ ଖସି ଚାଲିଗଲା ସଦ୍ୟଜାତ ଶିଶୁର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଲକ୍ଷ୍ନୌର ଚିନ୍‌ହାଟ୍‌ସ୍ଥିତ ମଲ୍‌ହୌର୍‌ ଅଞ୍ଚଳରେ ଥିବା ଏକ ବେସରକାରୀ ହସ୍ପିଟାଲରେ । ପ୍ରସବ ପରେ ନର୍ସ ଜଣକ ଜନ୍ମିତ ଶିଶୁକୁ ବିନା ତଉଲିଆରେ ଧରିନେଉଥିବା ସମୟରେ ହଠାତ୍ ପିଲାଟି ହାତରୁ ଖସି ପଡିଥିଲା । ଘଟଣାସ୍ଥଳରେ ହିଁ ପିଲାଟିର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ସୂଚନା ମୁତାବକ, ଗତ ୧୯ ତାରିଖ ଦିନ ଏକ ମହିଳା ଲକ୍ଷ୍ନୌର ଚିନ୍‌ହାଟ୍‌ସ୍ଥିତ ମଲ୍‌ହୌର୍‌ ଅଞ୍ଚଳର ବେସରକାରୀ ହସ୍ପିଟାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ପ୍ରସବ ପରେ ସଦ୍ୟଜାତ ପିଲାଟିକୁ ଏକ ନର୍ସ ତଉଲିଆରେ ନବାନ୍ଧି ଖାଲି ହାତରେ ନେଉଥିଲେ ଏହା ଫଳରେ ପିଲାଟି ତଳକୁ ଖସି ପଡିଥିଲା ଓ ତାର ମୃତ୍ୟୁ ହୋଇଥିଲା । ଏହି ସମୟରେ ପିଲାଟିର ମାଆ ଚିତ୍କାର କରିବାକୁ ଲାଗିଲେ । ମହିଳାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଲେବର୍ ରୁମ୍ ଆଡକୁ ଧାଇଁ ଆସୁଥିବା ସମୟରେ ହସ୍ପିଟାଲରେ ଉପସ୍ଥିତ ଥିବା କର୍ତ୍ତୁପକ୍ଷ ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । କୌଣସିମତେ ସେମାନେ ସେଠାରୁ ମୁକୁଳି ଆସିଥିଲେ ଏବଂ ସମସ୍ତ କଥା ଜାଣିବାକୁ ପାଇଥିଲେ ।

ଏହାପରେ ମାମଲାକୁ ଲୁଚାଇବା ପାଇଁ ହସ୍ପିଟାଲ୍‌ ପକ୍ଷରୁ ମଲା ଛୁଆ ଜନ୍ମ ହୋଇଛି ବୋଲି ପରିବାର ଲୋକଙ୍କୁ କୁହାଯାଇଥିବା ବେଳେ ପରିବାର ଲୋକେ ଏହି କଥାକୁ ଗ୍ରହଣ କରି ନଥିଲେ । ପରିବାର‌ ଲୋକେ ସଂପୃକ୍ତ ନର୍ସ ଓ ହସ୍ପିଟାଲ୍‌ ବିରୋଧରେ ଦାୟିତ୍ବହୀନତାର ଅଭିଯୋଗ ଆଣିଥିଲେ। ପୁଲିସ୍‌ ଏହି ଘଟଣାର ତଦନ୍ତ କରି ହସ୍ପିଟାଲ୍‌ କର୍ମଚାରୀ ଓ ଉକ୍ତ ନର୍ସଙ୍କ ନାମରେ ମାମଲା ରୁଜୁ କରି ମୃତ ନବଜାତକଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଶରୀର ବ୍ୟବଚ୍ଛେଦ ରିପୋର୍ଟରୁ ପିଲାଟିର ମୁଣ୍ଡରେ ଆଘାତ ବାଜିବାରୁ ତା’ର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି।

 

Show More

Related Articles

Back to top button