ନୂଆଦିଲ୍ଲୀ : ମା ସବୁବେଳେ ମା ହୋଇଥାଏ । ଏହି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ଯେ କୌଣସି ବ୍ୟକ୍ତି ଆଖିରେ ଲୁହ ଏବଂ ହୃଦୟରେ କୋହ ଚାଲି ଆସିବ । ଏ ଦୃଶ୍ୟ ଛତିଶଗଡ ସୁକମାର ଅଞ୍ଚଳର ସିଆରପିଏଫ୍ କ୍ୟାମ୍ପରେ ଲଗାଯାଇଥିବା ଜଣେ ସହିଦ୍ ପୁଅର ଫଟୋ । ପୁଅ ମାଆକୁ ଛାଡି ଚାଲି ଯାଇଛି ସତ ହେଲେ ମାଆ ପାଗଳିନୀ ପରି ପୁଅର ଫୋଟକୁ ଗେଲ କରି କୁଣ୍ଢେଇ ପକାଇ ମୋ କୋଳକୁ ଫେରି ଆ ବୋଲି କହି ବାହୁନି ବାହୁନି କାନ୍ଦୁଛି ।
୨୦୧୪ରେ ନକ୍ସଲ ଆକ୍ରମଣରେ ୧୪ ଯବାନ ସହିଦ୍ ହୋଇଥିଲେ । ୮ବର୍ଷ ପରେ ସୁକମା ଦୋରନାପାଲ ସ୍ଥିତ ସିଆରପିଏଫ୍ ୨୨୩ ବାଟାଲିୟାନ୍ ନିଜର ୧୧ ତମ ସ୍ଥାପନା ଦିବସରେ ଏକ ବଳିଦାନ ସମାରୋହର ଆୟୋଜନ କରା ଯାଇଥିଲା । ଏହି ଅବସରରେ ସହିଦ ଯବାନଙ୍କ ପରିବାର ଲୋକଙ୍କୁ ନିମନ୍ତ୍ରିତ କରାଯାଇଥିଲା। କ୍ୟାମ୍ପସ୍ ପରିସରରେ ସମସ୍ତ ସହିଦଙ୍କର ଫଟୋ ଲଗାଯାଇଥିଲା। ଯେଉଁଥିରେ ସାମିଲ୍ ହୋଇଥିଲେ ସହିଦ୍ ପିଏଲ୍ ମାଂଝି। କ୍ୟାମ୍ପ ପରିସରରେ ସହିଦ୍ ପୁଅର ଫଟୋକୁ ଦେଖି ମାଆ ସର୍ମିଲା ମାଂଝି କୋହ ସମ୍ଭାଳି ନପାରି ପୁଅର ଫୋଟ ପାଖକୁ ଧାଇଁ ଯାଇଥିଲେ । ଆଉ ପୁଅକୁ ରୁମାଲରେ ପୋଛି ଦେଇ କହୁଥିଲେ ଆ ତୁ ମୋ କୋଳକୁ ଫେରିଆ…., ତୁ କଣ ମତେ ଛାଡି ଯାଇ ପାରିବୁ । ଏହି ଦୃଶ୍ୟକୁ ଦେଖି ଉପସ୍ଥିତ ଥିବା ବ୍ୟକ୍ତିମାନେ ମଧ୍ୟ ଭାବବିହ୍ୱଳ ହୋଇ ପଡିଥିଲେ ।