ଧୀରେ ଧୀରେ ଖୋଲୁଛି ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ରହସ୍ୟ
ପାଣାଜୀ: ଟିକ୍ଟକ୍ ଷ୍ଟାର୍ ତଥା ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ରହସ୍ୟ ଧୀରେ ଧୀରେ ଖୋଲୁଛି। ଏହି ମାମଲାରେ ବଡ ଆକ୍ସନ ନେଇ ପୁଲିସ ଗୋଆର କର୍ଲା କ୍ଲବ ମାଲିକକୁ ଗିରଫ କରିଛି। ଏଥିସହ ଏହି କ୍ଲବର ବାଥରୁମ୍ରୁ ଡ୍ରଗ୍ସ ମଧ୍ୟ ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ସୋନାଲି ମୃତ୍ୟୁ ମାମଲାରେ ପୁଲିସ ୪ ଜଣଙ୍କୁ ଗିରଫ କଲାଣି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନ, ସୁଖବିନ୍ଦର ସିଂହ, କର୍ଲା କ୍ଲବ୍ ମାଲିକ ଓ ଜଣେ ଡ୍ରଗ୍ସ ପେଡଲର ଅଛନ୍ତି। ଗୋଆ ପୁଲିସ ପ୍ରାଥମିକ ତଦନ୍ତ କରି ସୂଚନା ଦେଇଛି ଯେ ସୋନାଲି ଫୋଗଟ୍ ଡ୍ରଗ୍ ନେଇଥିଲେ। ସୋନାଲିଙ୍କୁ ମୃତ୍ୟୁ ପୂର୍ବରୁ ଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା ବୋଲି ତଦନ୍ତରୁ ଜଣାପଡିଛି। ଗୋଆ ଆଇଜି ଓମବୀର ସିଂ ବିଷ୍ଣୋଇ ନିକଟରେ କହିଛନ୍ତି ଯେ ସୋନାଲୀଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରେ କ୍ଷତ ଚିହ୍ନ ଥିଲା। ଏହା ପରେ ପୂରା ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସୁଧୀର ଓ ସୁଖବିନ୍ଦରଙ୍କ ସହ ସୋନାଲିଙ୍କ ୨୨ ଅଗଷ୍ଟରେ ଗୋଆ ଯାଇଥିଲେ। ସେଠି କ୍ଲବରେ ସୁଧୀର ଏକ ବୋତଲ ଜରିଆରେ ସୋନାଲିଙ୍କୁ କିଛି ପିଇବାକୁ ଦେଇଥିଲେ। କିନ୍ତୁ ସୋନାଲି ତାହାକୁ ପିଇବାକୁ ମନା କରିବା ସତ୍ତ୍ୱେ ମଧ୍ୟ ତାଙ୍କୁ ଜବରଦସ୍ତି ପିଇବାକୁ ଦିଆଯାଇଥିଲା ବୋଲି ଜବତ ହୋଇଥିବା ସିସିଟିଭି ଫୁଟେଜରୁ ଜଣାପଡିଛି। ସୋନାଲିଙ୍କୁ ବୋତଲ ସାହାଯ୍ୟରେ ଡ୍ରଗ୍ସ ଦିଆଯାଇଥିବା ପୁଲିସ ସନ୍ଦେହ କରୁଛି। ଏଥିପାଇଁ ପୁଲିସ କେମିକାଲ ଯାଞ୍ଚ କରିବା ପାଇଁ ଚିନ୍ତା କରୁଛି।