ଆର୍ଯ୍ୟନ୍ ଖାନଙ୍କ ସମେତ ୩ ଜଣଙ୍କୁ ଦିନିକିଆ ରିମାଣ୍ଡରେ ନେଲା ଏନସିବି
ହ୍ବାଟ୍ସଆପ୍ ଚାଟ୍ରୁ ମିଳିଲା ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ

ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କ ସମେତ ୩ ଜଣଙ୍କୁ ରେଭ୍ ପାର୍ଟି ମାମଲାରେ ଗିରଫ କରିଛି ଏନସିବି । ଆର୍ଯ୍ୟନ୍ ଖାନ ଡ୍ରଗ୍ସ ସେବନ କରିଥିବା ଅଭିଯୋଗ ହୋଇଛି । ଏନ୍ସିବି ପକ୍ଷରୁ ଜେରାବେଳେ ତାଙ୍କ ଫୋନର ହ୍ବାଟ୍ସଆପ୍ ଚାଟ୍ରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି ।
ଆର୍ଯ୍ୟନ ଖାନଙ୍କ ସମେତ ଅନ୍ୟ ୨ ଜଣ ଅରବାଜ୍ ମର୍ଚାଣ୍ଟ ଏବଂ ମୁନ୍ମୁନ୍ ଧମେଚାଙ୍କୁ କୋର୍ଟରେ ହାଜର କରାଯିବା ପରେ ୨ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଏନ୍ସିବି । ତେବେ କୋର୍ଟ ଦିନକ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ଏହି ମାମଲାର ଶୁଣାଣି ଆସନ୍ତାକାଲି ହେବ ।
ଏନସିବିକୁ ସୂଚନା ମିଳିଥିଲା ଯେ, କ୍ରୁଜରେ ହେଉଥିବା ପାର୍ଟିରେ ଡ୍ରଗ୍ସ ବ୍ୟବହାର କରାଯାଉଛି। ଏନସିବି ଅଧିକାରୀ ଯାତ୍ରୀ ହୋଇ କ୍ରୁଜକୁ ଯାଇଥିଲେ । ଶନିବାର ଦିନ ରେଭ ପାର୍ଟି ଚାଲିଥିଲାବେଳେ ସେ ଚଢ଼ଉ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, କ୍ରୁଜରୁ ବହୁ ପରିମାଣର ଡ୍ରଗ୍ସ ଜବତ ହୋଇଛି। ଏହାର ମୂଲ୍ୟ କୋଟି କୋଟି ଟଙ୍କା ବୋଲି କୁହାଯାଇଛି । ଜବତ ହୋଇଥିବା ଡ୍ରଗ୍ସ ଏମଡି କୋକ ଓ ହଶିଶ।
ଏନସିବି ମୁଖ୍ୟ ଏସଏନ ପ୍ରଧାନ କହିଛନ୍ତି ଯେ ଦୁଇ ସପ୍ତାହ ଯାଞ୍ଚ ପରେ ଚଢ଼ଉ କରାଯାଇଛି । ଏଥିରେ ବଲିଉଡର ଅନେକ ସେଲିବ୍ରିଟିଙ୍କ ଲିଙ୍କ ସାମ୍ନାକୁ ଆସିଛି । ନିରପେକ୍ଷ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସେ କହିଛନ୍ତି। ଏହି ପ୍ରକ୍ରିୟାରେ ବଲିଉଡ କିମ୍ବା କୌଣସି ଧନୀ ଲୋକଙ୍କ ଲିଙ୍କ ସାମ୍ନାକୁ ଆସିଲେ ମଧ୍ୟ ଏନସିବି ଆଇନ ପରିସରରେ ରହି କାର୍ଯ୍ୟ କରିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଗତ ବର୍ଷେ ମଧ୍ୟରେ ମୁମ୍ବାଇରେ ୩୦୦ରୁ ଅଧିକ ସ୍ଥାନରେ ଚଢ଼ଉ କରାଯାଇଛି। ଆଗକୁ ମଧ୍ୟ ଏହି ଚଢ଼ଉ ଜାରି ରହିବ । ଦେଶକୁ ଡ୍ରଗ୍ସ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ଏନସିବି ମୁଖ୍ୟ ଏସ ଏନ ପ୍ରଧାନ ।