ଖୁସି ଖବର, ଭିତରକନିକାରେ ବଢ଼ିଲା ଡଲ୍ଫିନ ସଂଖ୍ୟା
ଜାତୀୟ ଉଦ୍ୟାନ ଭିତରକନିକାରେ ଗତ ୩ ବର୍ଷ ଧରି କ୍ରମାଗତ ହ୍ରାସ ପାଉଥିବା ଡଲ୍ଫିନଙ୍କ ସଂଖ୍ୟା ଚଳିତ ବର୍ଷ ଆଶାତୀତ ଭାବେ ବୃଦ୍ଧି ପାଇଛି। ଏହି ସାମୁଦ୍ରିକ ଅଞ୍ଚଳରେ ମୋଟ୍ ୩ ପ୍ରଜାତିର ୩୪୨ ଡଲ୍ଫିନ ଥିବା ଚଳିତ ବର୍ଷ ଗଣନା ସମୟରେ ତଥ୍ୟ ମିଳିଛି

ଜାତୀୟ ଉଦ୍ୟାନ ଭିତରକନିକାରେ ଗତ ୩ ବର୍ଷ ଧରି କ୍ରମାଗତ ହ୍ରାସ ପାଉଥିବା ଡଲ୍ଫିନଙ୍କ ସଂଖ୍ୟା ଚଳିତ ବର୍ଷ ଆଶାତୀତ ଭାବେ ବୃଦ୍ଧି ପାଇଛି। ଏହି ସାମୁଦ୍ରିକ ଅଞ୍ଚଳରେ ମୋଟ୍ ୩ ପ୍ରଜାତିର ୩୪୨ ଡଲ୍ଫିନ ଥିବା ଚଳିତ ବର୍ଷ ଗଣନା ସମୟରେ ତଥ୍ୟ ମିଳିଛି। ଡଲ୍ଫିନ ଗଣନାକୁ ନେଇ ଚଳିତ ବର୍ଷ ବହୁ ବାଦବିବାଦ ସୃଷ୍ଟି ହୋଇଥିଲା। ଜାନୁୟାରୀରେ ଏହି ସାମୁଦ୍ରିକ ପ୍ରାଣୀଙ୍କ ଗଣନା ହେବାକୁ ଥିବାବେଳେ ତିଥି ଓ ପାଗକୁ ନେଇ ପରିବେଶବିତ୍ମାନେ ଆପତ୍ତି ଉଠାଇଥିଲେ। ଏଥିପାଇଁ ଫେବୃୟାରୀରେ ଏହାର ପୁନଃଗଣନା କରାଯାଇଥିଲା।
ରାଜନଗର ବନବିଭାଗ ଅଧୀନରେ ହୋଇଥିବା ଏହି ଗଣନାରେ ନିୟୋଜିତ ୯ ଟିମ୍ର ନେତୃତ୍ୱ ଡିଏଫ୍ଓ ବିକାଶ ରଞ୍ଜନ ଦାଶ, ବିଶେଷଜ୍ଞ ଡ. ମୁମତାଜ ଖାନ, ଶିବ ପ୍ରସାଦ ପରିଡ଼ା ପ୍ରମୁଖ ନେଇଥିଲେ। ଧାମରାଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ହୋଇଥିବା ଗଣନା ସମୟରେ ୨୮୧ ହମ୍ପବ୍ୟାକ୍, ୨୨ ବଟଲନୋଜ ଓ ୩୯ଟି ଇରାୱାଡି ଡଲ୍ଫିନ ଦେଖିବାକୁ ମିଳିଛି। ଏହି ସାମୁଦ୍ରିକ ଅଞ୍ଚଳରେ ୨୦୧୮ରେ ୩୦୭ ଡଲ୍ଫିନ ଦେଖିବାକୁ ମିଳିଥିବା ବେଳେ ୨୦୧୯ରେ ୧୨୬ ଓ ୨୦୨୦ରେ ମାତ୍ର ୬୨ ଡଲ୍ଫିନ ଦେଖିବାକୁ ମିଳିଥିଲା। ଭିତରକନିକା ସଂଲଗ୍ନ ୧୪୫ ବର୍ଗ କିଲୋମିଟର ସାମୁଦ୍ରିକ ଅଞ୍ଚଳ ଓ ନିକଟସ୍ଥ ନଦୀ ନାଳରେ ୨୦୧୯ରେ ଦେଖା ଦେଇଥିବା ୧୨୬ ଡଲ୍ଫିନ ମଧ୍ୟରୁ ୧୪ ଇରାୱାଡି, ୧୪ ବଟଲନୋଜ ଓ ୯୮ ହମ୍ପବ୍ୟାକ ପ୍ରଜାତିର ଡଲ୍ଫିନ ଥିଲେ। ୨୦୨୦ରେ ଗୋଟିଏ ହେଲେ ହମ୍ପବ୍ୟାକ୍ ପ୍ରଜାତିର ଡଲ୍ଫିନ୍ ଦେଖିବାକୁ ମିଳି ନ ଥିଲେ। କେବଳ ୬୦ ଇରାୱାଡି ଓ ୨ ବଟଲନୋଜ ଡଲ୍ଫିନ ଥିଲେ। ଚଳିତ ବର୍ଷ ହମ୍ପବ୍ୟାକ୍ ପ୍ରଜାତି ଡଲ୍ଫିନଙ୍କ ସଂଖ୍ୟା ଆଶତୀତ ବୃଦ୍ଧି ହୋଇଥିବା ବେଳେ ଇରାୱାଡି ପ୍ରଜାତିର ଡଲଫିନ ସଂଖ୍ୟା କମ୍ ରହିଛି।