
ନୂଆଦିଲ୍ଲୀ: ସୋମବାର ଦିନ ଫ୍ଲୋରିଡାର ଟାମ୍ପାରୁ ନିଉଜର୍ସି ଅଭିମୁଖେ ଯାଉଥିବା ‘ୟୁନାଇଟେଡ୍ ଏୟାର୍ଲାଇନ୍ସ୍’ର ୨୦୩୮ ବିମାନରେ ସାପଟିଏ ଦେଖିବା ପରେ ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ ବୋଲି ‘ରଏଟର୍ସ’ ରିପୋର୍ଟ କରିଛନ୍ତି। ଯାତ୍ରୀମାନଙ୍କଠାରୁ ଘଟଣା ସଂକ୍ରାନ୍ତରେ ଅବଗତ ହେବା ପରେ ବିମାନର ପରିଚାରକମାନେ ତୁରନ୍ତ ଏ ପରିସ୍ଥିତିର ମୁକାବିଲା କରିଥିଲେ। ଏୟାର୍ଲାଇନଙ୍କ କହିବା ଅନୁସାରେ, ସାପଟି ଥିଲା ନିର୍ବିଷ। ବିମାନ ନ୍ୟୁଜର୍ସିରେ ପହଞ୍ଚିବା ପରେ ‘ୱାଇଲଡ୍ଲାଇଫ୍ ଅପରେସନ୍’ ଏବଂ ‘ପୋର୍ଟ ଅଥରିଟି ପୋଲିସ ଡିପାର୍ଟମେଣ୍ଟ୍’ ସରୀସୃପଟିକୁ ଧରି ନେଇ ବଣରେ ଛାଡ଼ି ଦେଇଥିଲେ ବୋଲି ‘ଏନ୍ବିସି ନିଉଜ୍’ ରିପୋର୍ଟ କରିଛନ୍ତି। ‘ପୋର୍ଟ ଅଥରିଟି ଅଫ୍ ନ୍ୟୁୟର୍କ ଆଣ୍ଡ୍ ନ୍ୟୁଜର୍ସି’ ବିବୃତିରୁ ଉଦ୍ଧାର କରି ‘ରଏଟର୍ସ’ ରିପୋର୍ଟ କରିଛି ଯେ, ବିମାନରେ ଦେଖା ଦେଇଥିବା ସରୀସୃପଟି ହେଉଛି ନିର୍ବିଷ କାଣ୍ଡନଳ ଜାତୀୟ ସର୍ପ। ଟାମ୍ପାରୁ ଆସିଥିବା ‘ୟୁନାଇଟେଡ୍ ଏୟାର୍ଲାଇନ୍ସ୍’ର ୨୦୩୮ ବିମାନ ସୋମବାର ଅପରାହ୍ନରେ ‘ନିଉୟାର୍କ ଲିବର୍ଟି ଇଣ୍ଟର୍ନ୍ୟାସ୍ନାଲ୍ ଏୟାର୍ପୋର୍ଟ’ରେ ଅବତରଣ କରିବାର ଅଳ୍ପ ସମୟ ପରେ ସାପଟି ସେଥିରେ ପଶିଯାଇଥିଲା। ବିମାନଟି ନିଉଜର୍ସିରେ ଅବତରଣ କରିବା ବେଳେ ଫାଟକରେ ଥିବା ‘ଏୟାର୍ପୋର୍ଟ ଆନିମଲ୍-କଣ୍ଟ୍ରୋଲ୍’ ଅଧିକାରୀ ଓ ‘ପୋର୍ଟ ଅଥରିଟି’ ପୁଲିସ ସାପଟିକୁ ବିମାନରୁ ବାହାର କରିନେଇ ଅରଣ୍ୟରେ ଛାଡ଼ି ଦେଇଥିଲେ। ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି କି, ବିମାନ ବନ୍ଦର ପରିଚାଳନା ପ୍ରଭାବିତ ହୋଇନାହିଁ ବୋଲି ‘ପୋର୍ଟ ଅଥରିଟି’ ମୁଖପାତ୍ରୀ ଚେରିଲ୍ ଆନ୍ ଆଲ୍ବିଜ୍ ସୂଚନା ଦେଇଛନ୍ତି।