ଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ସାମ୍ନାକୁ ଆସିଲା ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ୱର : ସାମ୍ନାକୁ ଆସିଲା ପୁରୀ ୧୧ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସସୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ କରାଯାଇଛି। ଧର୍ମେନ୍ଦ୍ରଙ୍କ ଶରୀରର ଆଉ କୌଣସି ସ୍ଥାନରେ ଆଘାତର ଚିହ୍ନ ନଥିବା ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ ରହିଛି। ଶୁକ୍ରବାର ରାତି ୨ଟାରୁ ୪ ଟା ମଧ୍ୟରେ ମୃତ୍ୟୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ତେବେ ମୃତ୍ୟୁ ପୂର୍ବରୁ ଧର୍ମେନ୍ଦ୍ର ସୋସିଆଲ ମିଡିଆ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ,ଯାହାକୁ ନେଇ ଚର୍ଚ୍ଚା ଲାଗିରହିଛି। ପୁଲିସ ଜବତ କରିଥିବା ମୋବାଇଲ ଫୋନ ହିଁ ଧର୍ମେନ୍ଦ୍ରଙ୍କ ମୃତ୍ୟୁର ଗୁମର ଖୋଲିବ।ଏହାରି ଭିତରେ ଗତକାଲି ଜବତ ହୋଇଥିବା ଧର୍ମେନ୍ଦ୍ରଙ୍କ ୨ଟି ମୋବାଇଲ୍‌କୁ ଯାଞ୍ଚ ପାଇଁ ରାଜ୍ୟ ଫରେନ୍ସିକ୍‌କୁ ପଠାଇଛି ପୁଲିସ। ଆଜି ସକାଳୁ ଏହି ଦୁଇଟି ମୋବାଇଲ୍‌କୁ ପୁଲିସ ପଠାଇଛି। ଏହି ମୋବାଇଲରେ  ହିଁ ରହିଛି ସେହି ବିବାଦୀୟ ତଥ୍ୟ ଏବଂ ଭିଡ଼ିଓ। ଯାହାକୁ ଲୋକଲୋଚନକୁ ଆଣିବେ ବୋଲି ମୃତ୍ୟୁ ଆଗରୁ କହିଥିଲେ ଧର୍ମେନ୍ଦ୍ର ସାହୁ। ଏହି ୨ଟି ମୋବାଇଲ୍ ଭୁବନେଶ୍ୱର ଘର ନିକଟ ଏକ ପ୍ଲଟରୁ ମିଳିଥିଲା। ସନ୍ଧାନୀ କୁକୁର ସହାୟତାରେ ପୁଲିସ ମୋବାଇଲ୍‌କୁ ଠାବ କରିଥିଲା। ମୋବାଇଲ୍‌ଟି ଘଟଣାଦିନ ରାତି ୨ଟା ୪୩ ମିନିଟ୍‌ରୁ ବନ୍ଦ ଥିବା ପୁଲିସ ସୂଚନା ଦେଇଛି। ତେବେ ଏହି ମୋବାଇଲ୍‌ରେ କିଛି ତଥ୍ୟ ଅଛି କି? ସେନେଇ ପୁଲିସ ଏହାର ତଦନ୍ତ ଜାରି ରଖିଛି। ଏସବୁ ଭିତରେ ଧର୍ମେନ୍ଦ୍ରଙ୍କ ରୋଷେୟା ଏବଂ ତାଙ୍କ ପରିବାରକୁ ପୁଲିସ ସ୍କାନର୍‌ରେ ରଖିଛି। ଧର୍ମେନ୍ଦ୍ରଙ୍କ ରୋଷେୟା ଘର ଉପର ଫ୍ଲୋର୍‌ରେ ରହୁଥିଲେ। ତେବେ ଧର୍ମେନ୍ଦ୍ରଙ୍କ ରହସ୍ୟଜନକ ମୃତ୍ୟୁ ପଛର କାରଣ କ’ଣ ? ଯଦି ସେ ଆତ୍ମହତ୍ୟା କରିଛନ୍ତି, ତେବେ ତା’ର କାରଣ କ’ଣ ? ତାକୁ ନେଇ ଆଜି ବି ସସ୍‌ପେନ୍ସ ଲାଗିରହିଛି। ଅନ୍ୟପଟେ ରବିବାର ସଂଧ୍ୟାରେ ଥାନା ଇନ୍‌ସ୍‌ପେକ୍ଟର ଚିତ୍ତରଞ୍ଜନ ରାଉତଙ୍କ ସମେତ ଅତିରିକ୍ତ ଡିସିପି ପ୍ରକାଶ ପାଲ ଓ ଜଣେ ମହିଳା ପୁଲିସ ଅଧିକାରୀ ପ୍ରମୁଖ ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚି ପତ୍ନୀ କସ୍ତୁରିବାଳା, ନାବାଳକ ପୁଅ, ତରୁଣ କୁମାର ଓ ରୋଷେୟା, ତାଙ୍କ ସହ ରହୁଥିବା ସଂପର୍କୀୟ ଓ ଅନ୍ୟ କର୍ମଚାରୀଙ୍କୁ ପଚରାଉରା କରିଥିଲେ। ତାଙ୍କ ମାନସିକ ଅଶାନ୍ତିର କାରଣ କ’ଣ ଥିଲା? କେତେ ଦିନ ହେଲା ସେ ବିବ୍ରତ ଥିଲେ? ମୋବାଇଲ ଫୋନରେ ଥିବା ରହସ୍ୟ ସଂପର୍କରେ ପରିବାର ଲୋକଙ୍କୁ ସେ ସୂଚନା ଦେଇଥିଲେ କି ନାହିଁ? ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ସହ ଘଟଣା ଦିନ ରାତିରେ ଘରେ କିଏ କିଏ ଥିଲେ ଆଦି ପ୍ରସଙ୍ଗ ଉପରେ ପଚରାଉଚରା କରିଥିଲା ପୁଲିସ।

Show More

Related Articles

Back to top button