ଦେଶରେ ଲାଗିରହିଥିବା ସଙ୍କଟ ଭିତରେ ଆଜି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଦେଇପାରନ୍ତି ଇସ୍ତଫା

ଦେଶରେ ଲାଗି ରହିଥିବା ଆର୍ଥିକ ସଂକଟ ଭିତରେ ଆଜି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ଷେ ଇସ୍ତଫା ଦେବେ ବୋଲି ସୂଚନା ମିଳିଛି । ବିରୋଧୀମାନେ ଅନ୍ତରୀଣ ସରକାର ଗଠନ କରିବା ଦାବିକୁ ସମ୍ମାନ ଜଣାଇ ସେ ଇସ୍ତଫା ଦେଇପାରନ୍ତି ବୋଲି ଅର୍ନ୍ତଜାତୀୟ ଗଣମାଧ୍ୟମରେ ଜୋର ଚର୍ଚ୍ଚା ହେଉଛି । ରାଜନୈତିକ ବିଶ୍ଳେସକଙ୍କ କହିବା ମୁତବାକ ପ୍ରଧାନମନ୍ତ୍ରୀ ମହିନ୍ଦ୍ରା ରାଜପାକ୍ଷେ ଓ ରାଷ୍ଟ୍ରପତି ଥିବା ତାଙ୍କ ଭାଇ ଗୋଟାବାୟା ରାଜପାକ୍ଷେଙ୍କ ବିରୋଧରେ ବିରୋଧୀ ଚାପ ବଢିବାରେ ଲାଗିଛି । କେବଳ ସେତିକି ନୁହେଁ ରାଜପାକ୍ଷେଙ୍କ ନିଜ ଦଳ ଏସଏଲପିପି ତରଫରୁ ମଧ୍ୟ ଦାବି କରାଯାଉଛି କି ମହିନ୍ଦ୍ରା ରାଜପାକ୍ଷେ ଇସ୍ତଫା ଦିଅନ୍ତୁ । ସେପଟେ ମହିନ୍ଦ୍ରା ରାଜପାକ୍ଷେଙ୍କ ସାନ ଭାଇ ତଥା ଶ୍ରୀଲଙ୍କାର ରାଷ୍ଟ୍ରପତି ମହିନ୍ଦାଙ୍କ ବି ଇସ୍ତଫା ଚାହୁଁଛନ୍ତି ହେଲେ ତାହାକୁ ସେ ସର୍ବ ସାଧାରଣରେ ବ୍ୟକ୍ତ କରିପାରୁ ନାହାଁନ୍ତି ବୋଲି ସେଠିକାର ରାଜନୈତିକ ବିଶ୍ଳେସକମାନେ ମତ ଦେଇଛନ୍ତି । କଲମ୍ବୋ ପେଜର ସୂଚନା ମୁତାବକ ଗୋଟାବାୟା ରାଜପାକ୍ଷେଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଏହି ବୈଠକରେ ମହିନ୍ଦ୍ରା ରାଜପାକ୍ଷେ ଇସ୍ତଫା ଦେବାକୁ ସହମତି ପ୍ରକାଶ କରିଛନ୍ତି । ଏହାରି ମଧ୍ୟରେ ବିଭିନ୍ନ ସ୍ଥାନରେ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ।