କର୍ପୁରୀ ଠାକୁରଙ୍କ ପୁଅ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ

ପାଟଣା, 24 ଜାନୁଆରୀ – ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାମାଜିକ ନ୍ୟାୟର ରାଜନୀତିର ପୁରେଧା କର୍ପୁରୀ ଠାକୁରଙ୍କୁ କେନ୍ଦ୍ର ସରକାର ମଙ୍ଗଳବାର ଭାରତ ରତ୍ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହାପରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ପୁରୀ ଠାକୁରଙ୍କ ପୁଅ ଏବଂ ଜେଡିୟୁ ସାଂସଦ ରାମନାଥ ଠାକୁରଙ୍କ ସହ ଫୋନ କରି କଥା ହେବା ସହ ତାଙ୍କୁ ସପରିବାର ନିଜ ଦିଲ୍ଲୀ ସ୍ଥିତ ବାସଭବନ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି । ଏହି ଅବସରରେ ପରିବାର ଲୋକ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ଦେବାକୁ ନେଇ ଧନ୍ୟବାଦ ଜଣାଇଥିଲେ ।
ସୂଚନା ଅନୁସାରେ ରାମନାଥ ଠାକୁରଙ୍କ କଥା ହେବା ବେଳେ ପିଏମ ମୋଦି କର୍ପୁରୀ ଠାକୁରଙ୍କ ସ୍ମରଣ କରି କହିଥିଲେ ଯେ, ମୁଁ ନିଜେ ଜଣେ ପଛୁଆବର୍ଗର ବ୍ୟକ୍ତି ଅଟେ ଏବଂ ତାଙ୍କର ଅନେକ ଯୋଗଦାନକୁ ବୁଝିପାରୁଛି । କର୍ପୁରୀ ଠାକୁରଙ୍କ ସାମାଜିକ ନ୍ୟାୟର ରାଜନୀତିରୁ ଦେଶର କୋଟି କୋଟି ଲୋକଙ୍କ ଜୀବନରେ ସୁଧାର ହୋଇଛି ।
ରାମନାଥ ଠାକୁର ମିଡିଆ ସହ ଆଲୋଚନା କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ସହ ଆମର ଫୋନ ଯୋଗେ କଥାବାର୍ତ୍ତା ହୋଇଛି । ମୁଁ ସମସ୍ତ ବଞ୍ଚିତ, ପୀଡିତ ଓ ଶୋଷିତଙ୍କ ପକ୍ଷରୁ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ଦେବା ନିଷ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କୁ ଶୁଭେଚ୍ଛା ଜଣାଉଛି ।