
ଭୁବନେଶ୍ୱର : ବହୁ ଚର୍ଚ୍ଚିତ ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ମୃତ୍ୟୁ ମାମଲାକୁ ମାସେ ପୂରିବାକୁ ବସିଛି। ହେଲେ ଏଯାଏ ଏହି ମାମଲାରେ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନିଆ ହୋଇନି । କିନ୍ତୁ ହଠାତ୍ ଏବେ ପୋଲିସ ଚଳଚଞ୍ଚଳ ହୋଇ ଉଠିଛି। ଶ୍ୱେତାଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ ତାଙ୍କ ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦାୟୀ କରି ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଥିଲେ। ହେଲେ ଦୀର୍ଘ ଦିନ ପରେ ଏବେ ପୁଲିସ୍ର ସୌମ୍ୟଜିତଙ୍କ କଥା ମନେ ପଡ଼ିଥିବା ବେଳେ ତାଙ୍କୁ ଚନ୍ଦ୍ରଶେଖରପୁର ଥାନାକୁ ଡାକି ପଚରାଉଚରା କରାଯାଇଥିବା ସୂଚନାମିଳିଛି। ଏହି ମାମମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରିବାକୁ ଯାଉଥିବାବେଳେ ଏହା ପୂର୍ବରୁ ସୌମ୍ୟଜିତଙ୍କୁ ପଚରାଉଚରା କରାଯାଇଥିବା ଅନୁମାନ କରାଯାଉଛି। ସୌମ୍ୟଜିତଙ୍କୁ ତଦନ୍ତ ପାଇଁ ପୁଲିସ ଡାକିଥିଲା ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ତାହା ଅସ୍ପଷ୍ଟ ରହିଛି । ସୌମ୍ୟଙ୍କୁ ପଚରାଉଚରା ନେଇ ପୁଲିସ କୌଣସି ସୂଚନା ଦେଇନାହିଁ । ସୌମ୍ୟଜିତଙ୍କ ସହ ତାଙ୍କ ବାପା ଓ ସମ୍ପର୍କୀୟ ଭାଇ ମଧ୍ୟ ଥାନାକୁ ଆସିଥିବା ସୂଚନାମିଳିଛି । ଶ୍ୱେତା ମୃତ୍ୟୁ ମାମଲାରେ ବୟଫ୍ରେଣ୍ଡ ସୌମ୍ୟଜିତଙ୍କ ବିରୋଧରେ ୩୦୬ ଦଫା ଲାଗିଥିବା ବେଳେ ତାଙ୍କୁ ଡାକି ପଚରାଉଚରା କରିବାରେ ପୁଲିସ୍କୁ କ’ଣ ପାଇଁ ମାସେ ଲାଗିଗଲା, ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଗଷ୍ଟ ୧୯ ତାରିଖର ବିଳମ୍ବିତ ରାତିରେ ଶ୍ୱେତା ଆତ୍ମହତ୍ୟା କରିଥିଲେ। ଶ୍ୱେତାଙ୍କ କଲ୍ ଡିଟେଲ୍ସ ବାହାରିବା ପରେ ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସେ ସୌମ୍ୟଙ୍କୁ ୧୫ ଥର କଲ୍ କରିଥିବା ବେଳେ ସୌମ୍ୟଜିତ୍ କିନ୍ତୁ ତାଙ୍କ ଫୋନ ଉଠାଇ ନ ଥିବା ଜଣାପଡ଼ିଥିଲା। ଉଭୟଙ୍କ ବାର୍ତ୍ତାଳାପର ଅଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସୌମ୍ୟଜିତ ଶ୍ୱେତାଙ୍କୁ ଗାଳିଗୁଲଜ କରୁଥିବା ଶୁଣିବାକୁ ମିଳିଥିଲା। ଝିଅର ଅଚାନକ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ତାଙ୍କ ପରିବାର ଏଥିନିମନ୍ତେ ସୌମ୍ୟଜିତ ମହାପାତ୍ରଙ୍କୁ ଦାୟୀ କରିଥିଲେ। ଏନେଇ ଶ୍ୱେତାଙ୍କ ବାପା କହିଥିଲେ, ସୌମ୍ୟଜିତ ମୋ’ ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା। ସେ ମୋ ଝିଅକୁ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ଶୋଷଣ କରୁଥିଲା। ମୋ’ ଝିଅକୁ ନିର୍ଯାତନା ଦେଉଥିଲା, ତା’ ଫଟୋ ଭାଇରାଲ କରିଦେବାର ଧମକ ଦେଉଥିଲା। ନିର୍ଯାତନା ଅସହ୍ୟ ହେବାରୁ ମୋ ଝିଅ ଆତ୍ମହତ୍ୟା କରିଥିଲା। ମୋ ଝିଅର ମରିବା ପାଇଁ କେବଳ ସୌମ୍ୟଜିତ ହିଁ ଦାୟୀ।