
ଇଟା ଭାଟି ମାଲିକଙ୍କୁ ବୀଭତ୍ସ ଭାବେ ହତ୍ୟା କଲେ ଦୁର୍ବୃତ୍ତ । ପଥରରେ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରନାସୀ ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ହେଲେ ପାତାପାଟ ଗାଁର ଦୀନେଶ ବୈଦ। ଖବର ପାଇ ପୁଲିସ ଘଟଣାସ୍ଥଶରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଖରନାସୀ ନିକଟରେ ଇଟାଭାଟି କରି ଇଟା ବ୍ୟବସାୟ କରୁଥିଲେ ପାତାପାଟ ଗାଁର ଦୀନେଶ ବୈଦ । ଗତ ରାତିରେ ଭାଟିର କାମ କରୁଥିବା ଶ୍ରମିକଙ୍କ ସହିତ ଭୋଜିର ଆୟୋଜନ କରିଥିଲେ। ରାତିରେ ଘରକୁ ମଧ୍ୟ ଫେରିନଥିଲେ । ଆଜି ସକାଳେ ଇଟା ଭାଟି ପରିସରରେ ଦୀନେଶଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଦିନେଶଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ଏନେଇ ସ୍ଥାନୀୟ ଲୋକେ ଖବର ଦେଲା ପରେ ଦିନେଶଙ୍କ ପରିବାର ଲୋକ ଜମ୍ବୁ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି।