ଭାରତ ସମେତ ୫ ରାଷ୍ଟ୍ରରୁ କୂଟନୀତିଜ୍ଞମାନଙ୍କୁ ପ୍ରତ୍ୟାହାର କଲା ୟୁକ୍ରେନ ରାଷ୍ଟ୍ରପତି
ନୂଆଦିଲ୍ଲୀ: ଭାରତ ସମେତ ୫ ରାଷ୍ଟ୍ରରୁ ୟୁକ୍ରେନ ନିଜ କୂଟନୀତିଜ୍ଞମାନଙ୍କୁ ଶନିବାର ପ୍ରତ୍ୟାହାର କରି ନେବାକୁ ଘୋଷଣା କରିଛି। ରାଷ୍ଟ୍ରପତି ଜେଲେସ୍କିଙ୍କ ନିର୍ଦ୍ଦେଶ ଅନୁସାରେ ଏହା କାର୍ଯ୍ୟକାରୀ କରାଯାଇଛି। ଭାରତ ବ୍ୟତୀତ ଜର୍ମାନୀ, ହଙ୍ଗେରୀ, ଚେକୋସ୍ଲୋଭାକିଆ ଏବଂ ନରୱେରୁ କୂଟନୀତିଜ୍ଞମାନଙ୍କୁ ପ୍ରତ୍ୟାହାର କରିନେବାକୁ ଜେଲେସ୍କି ନିର୍ଦ୍ଦେଶ ଦେଇଥିବା ସୂଚନାମିଳିଛି। ଏଭଳି ନିଷ୍ପତ୍ତି ନେବା ପଛରେ କାରଣ ସ୍ପଷ୍ଟ ହୋଇ ନ ଥିଲେ ହେଁ ଯୁଦ୍ଧ ସମୟରେ ୟୁକ୍ରେନକୁ ଏହି ରାଷ୍ଟ୍ରମାନଙ୍କ ପକ୍ଷରୁ କୌଣସି ସହାୟତା ମିଳି ନଥିବାରୁ ଜେଲେସ୍କି ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି । ୟୁରୋପର ଏକ ପ୍ରମୁଖ ଅର୍ଥନୀତି ଭାବେ ଜର୍ମାନୀ ସହିତ ୟୁକ୍ରେନର ସମ୍ପର୍କ ସ୍ୱାଭାବିକ ରହିଥିଲା। ହେଲେ ତୈଳ ଏବଂ ଗ୍ୟାସ ପାଇଁ ଜର୍ମାନୀ ସର୍ବାଧିକ ରୁଷ ଉପରେ ନିର୍ଭର କରୁଥିବାରୁ ରାଷ୍ଟ୍ରପତି ଜେଲେସ୍କି ସେଠାରୁ ମଧ୍ୟ ନିଜ କୂଟନୀତିଜ୍ଞଙ୍କୁ ପ୍ରତ୍ୟାହାର କରିନେବାକୁ ପଶ୍ଚାତପଦ ହୋଇନାହାନ୍ତି ବୋଲି କୁହାଯାଇଛି। ତେବେ ଭାରତରୁ ୟୁକ୍ରେନର ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରାଯିବା ପରେ ଉଭୟ ରାଷ୍ଟ୍ର ମଧ୍ୟରେ କୂଟନୀତିକ ସମ୍ପର୍କ କିଭଳି ରହିବ ତାହାକୁ ନେଇ ପ୍ରଶ୍ନ ଉଠିଛି।