ଡିସେମ୍ବର ୧ରୁ ୩୧ ଯାଏଁ ଚାଲିବ ବିଧାନସଭା ଶୀତ ଅଧିବେଶନ
ଦିନକ ପରେ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ତେବେ ସର୍ବଦଳୀୟ ବୈଠକ ସରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ସେ କହିଛନ୍ତି ଯେ, ଆସନ୍ତା ଡିସେମ୍ବର ୧ରୁ ୩୧ ତାରିଖ ଯାଏଁ ବିଧାନସଭା ଶୀତ ଅଧିବେଶନ ଚାଲିବ । ବିଧାନସଭା ସାଢେ ୧୦ଟାରୁ ଆରମ୍ଭ ହୋଇ ୧ଟା ୩୦ ମିନିଟ ପର୍ଯ୍ୟନ୍ତ ଚାଲିବ । ଏହାପରେ ଅପରାହ୍ଣ ୪ଟାରୁ ୬ଟା ଯାଏଁ ଚାଲିବ । ଅର୍ଥାତ୍ ଦିନକୁ ୫ ଘଣ୍ଟା ଚାଲିବ ଗୃହ ।
ପ୍ରଥମ ଦିନ ବିଧାନସଭା ୧୧ଟାରେ ଆରମ୍ଭ ହେବ । ୫ଟା ବେଳେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ୯୦ ମିନିଟ ମୁଲତବୀ ପ୍ରସ୍ତାବ ଆଲୋଚନା ହେବ । ବିରୋଧୀଙ୍କ ପାଇଁ ୫୫ ମିନିଟ ଓ ମନ୍ତ୍ରୀଙ୍କ ରିପ୍ଲାଏ ସହ ଶାସକ ଦଳ ୩୫ ମିନିଟ ରହିବ । ସପ୍ତାହକ ୬ ଦିନ ଭିତରେ ୪ ଦିନ ମୁଖ୍ୟ ବିରୋଧୀ ଦଳ ବିଜେପି ୪ ଦିନ କଂଗ୍ରେସ ଓ ୨ ଦିନ ମୁଲତବୀ ପ୍ରସ୍ତାଵ ଦେଇ ପାରିବେ । କୋଭିଡ ଗାଇଡଲାଇନ ଭିତରେ ବିଧାନସଭା ବସିବ । ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ପ୍ରଶ୍ନକାଳ ସମୟରେ ହଟ୍ଟଗୋଳ ନକରିବା ପାଇଁ ଥିବା ପ୍ରସ୍ତାଵକୁ ସମସ୍ତଙ୍କୁ ଅବଗତ କରାଯାଇଛି । ସେମାନେ ଶୁଣିଲେ ଆଇନରେ ଯାହା ଥିବ ସେହି ବାଟରେ ଯିବ । ଏହାକୁ ମାନିବା କି ନମାନିବା ଜଣେ ବିଧାୟକଙ୍କ ଆଚରଣ ଉପରେ ନିର୍ଭର କରେ । ନମାନିଲେ ଆଇନ ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବାଚସ୍ପତି କହିଛନ୍ତି ।
ସେହିପରି ବିଜେପିର ବୟକଟ କରିବା ପ୍ରସଙ୍ଗରେ ବାଚସ୍ପତି କହିଛନ୍ତି ଯେ, ଯାହା ନିୟମରେ ରହିଛି ସେହି ଅନୁସାରେ କରାଯାଇଛି । ଯଦି ସେମାନେ ବିରୋଧୀ ଦଳ ନେତାଙ୍କ ବଦଳରେ ଆଉ କାହାକୁ ବସାଇବାକୁ ଚାହୁଁଛନ୍ତି ତାଙ୍କ ଲେଜିସିଲେଟିଭ ପାର୍ଟି ଲେଖିକି ଦେଲେ ହେବ ।