
ପଟ୍ଟାମୁଣ୍ଡାଇ : ନଦୀକୁ ଯାଇଥିବା ସମଯରେ ଟାଣିନେଲା କୁମ୍ଭୀର। ହେଲେ ଯୁବକ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ କୁମ୍ଭୀର ମୁହଁରୁ ସୁରକ୍ଷିତ ଖସିଆସିଲେ। ଏପରି ଏକ ଅଭାବନୀୟ ଘଟଣା ଆଜି ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ନିମପୁର ଗାଁରେ ଘଟିଛି। କୁମ୍ଭୀର ମୁହଁରୁ ଖସିଆସିଥିବା ଯୁବକଜଣକ ହେଲେ ନିମପୁର ଗାଁର ବୃନ୍ଦାବନ ଭୂୟାଁ । ସୂଚନା ଅନୁସାରେ, ଆଜି ଭୋରୁ ଶୌଚ ହେବା ପାଇଁ ବୃନ୍ଦାବନ ଗାଁ ନିକଟ ବ୍ରାହ୍ମଣୀ ନଦୀ କୂଳକୁ ଯାଇଥିଲେ । ସେଠାରେ ସେ ପାଣିକୁ ଯାଇଥିବା ସମୟରେ ହଠାତ୍ ଏକ କୁମ୍ଭୀର ତାଙ୍କ ଉପରକୁ ଝାମ୍ପ ମାରିଲା। ମାତ୍ର କୁମ୍ଭୀର ସହ ଲଢ଼େଇ କରି କୌଶଳ କ୍ରମେ ବୃନ୍ଦାବନ ପାଣି ଉପରକୁ ଚାଲି ଆସିଲେ।ଏହାପରେ ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ l ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ସୂଚନାମିଳିଛି l ଗାଁ ଲୋକଙ୍କ କହିବା ଅନୁସାରେ, ବ୍ରାହ୍ମଣୀ ନଦୀରେ କୁମ୍ଭୀର ରହୁଥିବାରୁ ସ୍ଥାନୀୟ ଲୋକେ ବହୁ ସମୟରେ ସେମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି।