ପାରିବାରିକ କଳହର କରୁଣ ପରିଣତି । ଜମି ପାଇଁ ବଡ ଭାଇଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରି ବଂଶ ନିପାତ କଲା ସାନଭାଇ । ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି ମାହାଙ୍ଗା ଥାନା କୁସୁପୁର ଗାଁ ରେ । ଗତକାଲି ବିଳମ୍ବିତ ରାତିରେ ଜମିଜମା ବିବାଦ ଓ ପାରିବାରିକ ଶତ୍ରୁତାକୁ ନେଇ ଉତ୍ତ୍ୟକ୍ତ ହୋଇ ଏଭଳି କାଣ୍ଡ ଘଟାଇଥିବା କହି ବାଲିଚନ୍ଦ୍ରପୁର ଥାନାରେ ଆତ୍ମସମର୍ପଣ କରିଛି ସାନଭାଇ ଶିବ ପ୍ରସାଦ ସାହୁ ।
ମିଳିଥିବା ଖବର ଅନୁଯାୟୀ, ଅଭିଯୁକ୍ତ ଶିବ ପ୍ରସାଦ ନିଜ ବଡ଼ଭାଇ ଅଲେଖ ସାହୁଙ୍କୁ ଏବଂ ଅଲେଖର ପତ୍ନୀ ରଶ୍ମି ସାହୁ, ଝିଅ ପାଏଲ ଓ ପୁଅ ଗୁଡ଼ୁ ଓ ଟୁବୁକୁକୁ କଟୁରୀ ଦ୍ୱାରା ହାଣି ହତ୍ୟା କରିଛି । ଆଜି ସକାଳୁ ଏହି ହତ୍ୟା ଖବର ଚାରିଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । କଟକ ଏସପି ବି ଯୁଗଳ କିଶୋର ,ଡ଼ିଏସପି ବିମଳ ବାରିକ ,ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତି ତହସିଲଦାର ପ୍ରମୁଖ ସାଇଣ୍ଟଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛନ୍ତି ।ବନ୍ଦ କୋଠରୀ ଭିତରୁ ପୋଲିସ ମୃତକ ମାନଙ୍କ ଶବ ଜବତ କରିଛି । ସମ୍ପତ୍ତି ବିବାଦକୁ ନେଇ ଏହି ପରିବାର ଭିତରେ ଦୀର୍ଘଦିନରୁ ତିକ୍ତତା ଲାଗିରହିଥିଲା । ବଡ଼ଭାଇ ସାନ ଭାଇକୁ ଘରେ ପୁରେଇ ନଦେବାରୁ ଭଡ଼ା ଘରେ ରହୁଥିଲା ଶିବ । ତେବେ ଏମାନଙ୍କ ଭିତରେ ଭୟଙ୍କର ତିକ୍ତତା ଯୋଗୁଁ ଶିବ ରକ୍ତମୁଖା ପାଲଟି ଯାଇଥିଲା । ବଡ ଭାଇର ପରିବାରକୁ କଟୁରୀରେ ହାଣି ନିପାତ କରି ଶେଷରେ ନିଜକୁ ମାନସିକ ବିକାରଗ୍ରସ୍ତ କହି ଆତ୍ମସମର୍ପଣ କରିଥିବା ଜଣାପଡିଛି । ପୋଲିସ ଘର ମଧ୍ୟରୁ ଏକ କଟୁରୀ ଜବତ କରିଥିବା ସହ ପାରିବାରିକ ଶତୃତା ଓ ଜମିବାଡ଼ି ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଏସପି ସୂଚନା ଦେଇଛନ୍ତି ।