ପିଲା ଚୋର ଭାବି ୪ ସାଧୁଙ୍କୁ ନିର୍ଧୁମ ପିଟିଲେ ଲୋକେ

ମୁମ୍ବାଇ: ପିଲା ଚୋର ଭାବି ୪ଜଣ ସାଧୁଙ୍କୁ ନିର୍ଧୁମ ପିଟିଲେ ଲୋକେ। ମଙ୍ଗଳବାର ସାଙ୍ଗଲି ଜିଲ୍ଲାରେ ୪ ଜଣ ସାଧୁଙ୍କ ଉପରେ ଆକ୍ରମଣ ହୋଇଛି। ପିଲା ଚୋର ସନ୍ଦେହରେ ଲୋକେ ନିସ୍ତୁକ ପିଟିଛନ୍ତି। ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନା ଅନୁସାରେ, ଏହି ୪ ଜଣ ସାଧୁ ହେଲେ ଉତ୍ତରପ୍ରଦେଶ ମଥୁରାର ବାସିନ୍ଦା। ଏମାନେ କର୍ଣ୍ଣାଟକର ବିଜାପୁରରୁ ପନ୍ଦରପୁର ଅଭିମୁଖେ ଦର୍ଶନ ପାଇଁ ଯାଉଥିଲେ। ସେମାନେ ସୋମବାର ଗାଁର ଏକ ମନ୍ଦିରରେ ରହିଥିଲେ। ତେବେ ମଙ୍ଗଳବାର ନିଜ ଗନ୍ତବ୍ୟସ୍ତଳକୁ ଯିବା ପାଇଁ ଜଣେ ଛୋଟ ପିଲାକୁ ରାସ୍ତା ପଚାରି ବୁଝିଥିଲେ। ଏହାଦେଖି କିଛି ସ୍ଥାନୀୟ ଲୋକେ ଏମାନେ ପିଲା ଚୋର ବୋଲି ସନ୍ଦେହ କରିଥିଲେ। ଛୋଟ ପିଲାଙ୍କୁ ଅପହରଣ କରୁଥିବା ଅପରାଧୀ ଗ୍ୟାଙ୍ଗର ଏମାନେ ସଦସ୍ୟ ବୋଲି ଗାଁ ଲୋକେ ଭାବିଥିଲେ। ଏହାପରେ ଏକାଠି ହୋଇ ଏହି ଚାରି ସାଧୁଙ୍କୁ ଉପରେ ଗ୍ରାମବାସୀ ବାଡିରେ ଆକ୍ରମଣ କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।ସେପଟେ ଏହି ଘଟଣାକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି। ଉଦ୍ଧବଙ୍କ ଶିବେସନା ଗୋଷ୍ଠୀ ସିନ୍ଦେ ସରକାରଙ୍କୁ ଟାର୍ଗେଟ୍ କରିଛି। ମହାରାଷ୍ଟ୍ରରେ ଆଇନ୍ ବ୍ୟବସ୍ଥା ଫେଲ୍ ମାରିଥିବା ସେମାନେ କହିଛନ୍ତି। ବିଜେପି ବିଧାୟକ ରାମ କଦମ ସାଧୁମାନଙ୍କୁ ଦୁର୍ବ୍ୟବହାର ଘଟଣାକୁ ନିନ୍ଦା କରିଛନ୍ତି। ସାଧୁ ମାନଙ୍କ ସହ ଏଭଳି ଦୁର୍ବ୍ୟବହାରକୁ ବରଦାସ୍ତ କରାଯିବ ନାହିଁ। ଅଭିଯୁକ୍ତଙ୍କୁ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।