ବେଙ୍ଗାଲୁରୁ: ଉଦଘାଟନର ୩ଦିନ ନପୁରୁଣୁ ଭୁଶୁଡିଲା ପୋଲ । କର୍ଣ୍ଣାଟକର ଉଡ଼ୁପିର ମାଲପେ ବେଳାଭୂମିରେ ୮୦ ଲକ୍ଷ ବ୍ୟୟର ଏକ ଭାସମାନ ପୋଲଟି ଭୁଶୁଡି ପଡ଼ିଥିବା ଜଣାପଡ଼ିଛି। । ଏହି ପୋଲଟି ଗତ ମେ’ ୬ ତାରିଖରେ ବିଧାୟକ କେ ରଘୁପତି ଭଟଙ୍କ ଦ୍ୱାରା ଉଦଘାଟନ୍ କରାଯାଇଥିଲା । ମେ’ ୮ ତାରିଖ ମଧ୍ୟରାତ୍ରୀରେ ବଡ଼ ଢ଼େଉ ମାଡ଼ ହେବାରୁ ପୋଲଟି ଆଶିଂକ ଭୁଶୁଡି ଯାଇଥିଲା ଏବଂ ଏହା ପରେ ଧୀରେ ଧୀରେ ଚଳାଚଳ ସଂପୂର୍ଣ୍ଣ ରୂପେ ଠପ୍ ହୋଇ ଯାଇଥିଲା । ଏହି ପୋଲର ଲମ୍ବ ୧୦୦ ମିଟର ଏବଂ ପ୍ରସ୍ଥ ୩ ମିଟର ଥିଲା ।
କୁହାଯାଉଛି ଯେ, ବାତ୍ୟା ଅସାନି ପାଇଁ ପବନର ବେଗ ଅଧିକ ଥିବାରୁ ସମୁଦ୍ର ଆଶାନ୍ତ ଥିଲା। ଏହି କାରଣରୁ ବଡ଼ ବଡ଼ ଢ଼େଉ ପୋଲରେ ମାଡ଼ ହେବାରୁ ପୋଲଟି ଭୁଶୁଡି ପଡ଼ିଛି। ଏହି ଘଟଣା ପରେ ଏବେ ସୁରକ୍ଷା ଦିଗ ଉପରେ ପ୍ରଶ୍ନ ଉଠିଛି। ପୋଲଟି ମରାମତି ହୋଇ କାର୍ଯ୍ୟକାରୀ ହେଲେ ଏହା କେତେ ସୁରକ୍ଷିତ ହେବ, ସେ ନେଇ ଏବେ ଲୋକେ ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣା ପରେ ମାଲପେ ବେଳାଭୂମି ଏବଂ ସେଣ୍ଟ ମେରୀ ଦ୍ୱୀପରେ ଜିଲ୍ଲା ପ୍ରଶାସନ ଦ୍ୱାରା ସମସ୍ତ ଜଳ କ୍ରୀଡା କାର୍ଯ୍ୟକଳାପକୁ ସ୍ଥଗିତ ରଖାଯାଇଛି ।