
ଚୌଦ୍ୱାର : କଟକ ଜଗତପୁର ବେଲମାଳିଆ ମନ୍ଦିର ନିକଟ ପଟ୍ଟାମୁଣ୍ଡାଇ କେନାଲରେ ବୁଡ଼ି ୩ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି। ପୁଲିସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗତକାଲି ରାତିଠୁ ନିଖୋଜ ଯୁବକମାନଙ୍କୁ ଖୋଜାଖୋଜି କରୁଛନ୍ତି। ଏପର୍ଯ୍ୟନ୍ତ ଯୁବକଙ୍କ ପରିଚୟ ମିଳିନାହିଁ। ନିଖୋଜ ଯୁବକମାନେ ହେଲେ ତ୍ରିଲୋଚନ ମହଲା, ନିଲୁ ସାହୁ ଓ ବାଦଲ ସାହୁ। ତ୍ରିଲୋଚନ ମହଲା ଓ ନିଲୁ ସାହୁଙ୍କ ଘର ଚାଉଳିଆଗଞ୍ଜରେ ହୋଇଥିବା ବେଳେ ବାଦଲ ସାହୁଙ୍କ ଘର କଟକ ଚୌଦ୍ୱାର ଅଞ୍ଚଳର ବୋଲି ସୂଚନାମିଳିଛି। ଚୌଦ୍ୱାରରେ ଲକ୍ଷ୍ମୀପୂଜା ଭାସାଣୀ ଦେଖିବା ପାଇଁ ନିଲୁ ଓ ତାଙ୍କ ସାଙ୍ଗ ତ୍ରିଲୋଚନଙ୍କୁ ନେଇ ମାଉସୀ ଘରକୁ ଯାଇଥିଲେ। ଗତକାଲି ରାତିରେ ଲକ୍ଷ୍ମୀପୂଜା ଭସାଣୀ ଚାଲିଥିବା ବେଳେ ପଟ୍ଟାମୁଣ୍ଡାଇ କେନାଲ ବନ୍ଧରେ ନିଲୁ, ତ୍ରିଲୋଚନ, ମାଉସୀ ପୁଅ ବାଦଲ ଓ ତାଙ୍କ ସାଙ୍ଗ ବସିଥିଲେ। ଏହି ସମୟରେ ଜଣେ ଯୁବକ କେନାଲ ଭିତରକୁ ଖସି ପଡ଼ିଥିଲେ। ଯୁବକଙ୍କୁ ଉଦ୍ଧାର କରିବାକୁ ଯାଇ ସମସ୍ତେ କେନାଲକୁ ଡେଇଁ ପଡ଼ିଥିଲେ। ପରେ ସମସ୍ତେ କେନାଲରେ ବୁଡ଼ି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ବାଦଲଙ୍କ ସାଙ୍ଗକୁ ଉଦ୍ଧାର କରିଥିଲେ। ହେଲେ ନିଲୁ, ତ୍ରିଲୋଚନ ଓ ବାଦଲଙ୍କର କୌଣସି ପତ୍ତା ମିଳି ନଥିଲା। ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗତକାଲି ରାତିଠୁ ସେମାନଙ୍କୁ ଖୋଜାଖୋଜି କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।