ଅହମ୍ମଦାବାଦ: ସମସ୍ତଙ୍କ ସମ୍ମୁଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରକୁ ପାଣି ବୋତଲ ମାଡ। ଗରବା କାର୍ଯ୍ୟକ୍ରମରେ ସାମିଲ ହେବାକୁ ଯାଇଥିବା ବେଳେ ତାଙ୍କ ଉପରକୁ ପାଣି ବୋତଲ ମାଡ ହୋଇଛି। ଗୁଜରାଟ ନିର୍ବାଚନରେ ଆମ ଆଦମୀ ପାର୍ଟିକୁ ବିଜୟୀ କରିବା ପାଇଁ ଲାଗିପଡିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏଥିପାଇଁ ସେ ଗୁଜରାଟରେ ଡେରା ପକାଇଛନ୍ତି। ଶନିବାର ଗାନ୍ଧିଧାମ ଓ ଜୁନାଗଡରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ ଗରବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ କେଜ୍ରିୱାଲଙ୍କ ଉପରକୁ କେହି ଜଣେ ବୋତଲ ଫିଙ୍ଗିଥିବା ଦେଖାଦେଇଛି। ରାଜକୋଟରେ ଖୋଡାଲଧାମ୍ ଗାରବା କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଯୋଗ ଦେଇଥିଲେ। ତାଙ୍କ ସହ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ଉପସ୍ଥିତ ଥିଲେ, ସେ ନିଲ ସିଟି କ୍ଲବର ଦାଣ୍ଡିଆ କାର୍ଯ୍ୟକ୍ରମରେ ଗାରବାରେ ମଧ୍ୟ ଭାଗ ନେଇଥିଲେ। ଯେତେବେଳେ ଅରବିନ୍ଦ କେଜ୍ରିୱାଲ ଖୋଡାଲଧାମ ଗାରବାରେ ଯୋଗଦେଉଥିଲେ, କେହି ଜଣେ ଭିଡ ଭିତରେ ତାଙ୍କ ଉପରକୁ ପାଣି ବୋତଲ ଫିଙ୍ଗିଥିଲେ। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ତେବେ କେଜ୍ରିୱାଲଙ୍କ ଉପରେ ବୋତଲ ଫିଙ୍ଗିଥିବା ବ୍ୟକ୍ତି କିଏ ତାହା ଚିହ୍ନଟ ହୋଇ ନାହିଁ। ପୁଲିସ ଏହି ବ୍ୟକ୍ତିର ସନ୍ଧାନ କରୁଛି।