
ଭାରତ କୋଭିଡ ଲକଡାଉନ୍ ପ୍ରତ୍ୟାହାର କରିବା ପରଠାରୁ ଜନଜୀବନ ସ୍ୱଭାବିକ ହେବାରେ ଲାଗିଛି। ଏଣୁ ଆଉ ୱାର୍କ ଫ୍ରମ ହୋମର ଆବଶ୍ୟକତା ପଡୁ ନଥିବା ବେଳେ କେତେକ କ୍ଷେତ୍ରରେ ଏବେବି ଏହି ପ୍ରଥା ପ୍ରଚଳିତ ଅଛି। ତେବେ ଆଗାମୀ ଜାନୁୟାରୀରୁ ଦେଶରେ ୱାର୍କ ଫ୍ରମ ହୋମ ବନ୍ଦ ହେବାକୁ ଥିବା ବେଳେ କର୍ମଚାରୀଙ୍କୁ ସପ୍ତାହକୁ ଅନ୍ତତଃ ୩ ଦିନ କାର୍ଯ୍ୟାଳୟକୁ ଆସି କାମ କରିବାକୁ ପଡିବ ବୋଲି ଜଣାପଡିଛି। ଫଳରେ ଦେଶର କାର୍ଯ୍ୟାଳୟମାନଙ୍କୁ ୫୦ ପ୍ରତିଶତ କର୍ମଚାରୀ ପୁଣି ଫେରିବେ ବୋଲି ଆଶା କରାଯାଉଛି। ସୋମବାର ନାସକମ୍ଙ୍କ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ୨୫ ବର୍ଷ ଆୟୁବର୍ଗର କର୍ମଚାରୀ ଚଳିତମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷେତ୍ରକୁ ଫେରୁଥିବାର ଆଶା କରାଯାଉଛି।
ସେହି ଅନୁସାରେ ଆଗାମୀ ମାସମାନଙ୍କରେ ୪୦ ବର୍ଷ ଓ ପରେ ଅଧିକ ଆୟୁ ବର୍ଗର କର୍ମଚାରୀ ଦପ୍ତରକୁ ଆସି କାମ କରିବେ। ଭାରତରେ ଅନୁନ୍ୟ ୭୦ ପ୍ରତିଶତ ଅନୁଷ୍ଠାନ ଏବେ ହାଇବ୍ରିଡ ଅପରେଟିଂ ମଡେଲ ସନ୍ଧାନରେ ଥିବା ଜଣାପଡିଛି। କାରଣ ବିଭିନ୍ନ ଆଇଟି ସେବା ଓ ବୈଶ୍ୱିକ କ୍ଷମତା କେନ୍ଦ୍ର (ଜେସିସି) ହାଇବ୍ରିଡ ୱାର୍କ ମଡେଲ ଆପଣେଇବାକୁ ଚାହୁଁଛନ୍ତି। ରିପୋର୍ଟ ଅନୁସାରେ ଉଭୟ କର୍ମଚାରୀ ଓ ନିଯୁକ୍ତିଦାତା ହାଇବ୍ରିଡ ସେଟଅପରେ ପୁଣି କାର୍ଯ୍ୟସ୍ଥଳକୁ ଫେରିବାକୁ ଚାହାନ୍ତି। ମହାମାରୀ ଯୋଗୁ ସବୁ ବନ୍ଦବାନ୍ଦ ରହିବା କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ବାଧ୍ୟ କରିଥିଲା। ତେବେ ଏହା ସ୍ଥାୟୀ ସମାଧାନ ନୁହେଁ ବୋଲି ସମସ୍ତେ ଅନୁଭବ କଲେଣି। ଏହା କାର୍ଯ୍ୟସ୍ଥଳ ଯୋଜନା ଲାଗି ବିକଶିତ ଦୃଷ୍ଟିକୋଣ ନୁହେଁ ବୋଲି ସମସ୍ତେ ଜାଣିସାରିଲେଣି। ଏଣୁ ଗତ ବର୍ଷରୁ ୭୨ ପ୍ରତିଶତ ସଙ୍ଗଠନ ୫୦ ପ୍ରତିଶତ କର୍ମଚାରୀରେ କାମ ଚଳାଇବା ଆରମ୍ଭ କରିଥିଲେ।